ନିଯୁକ୍ତି ପ୍ରଦାନରେ କେନ୍ଦ୍ର, ରାଜ୍ୟ ସରକାର ବିଫଳ

ରାହାମା,୨ା୨(ଡି.ଏନ.ଏ.): ଆଜିର ଦିନରେ ଜାତୀୟ ନାଗରିକତା ଅଭିଲେଖ ନୁହେଁ ବରଂ ଜାତୀୟ ବେରୋଜଗାର ଅଭିଲେଖର ଆବଶ୍ୟକତା ରହିଛି। ଜଗତ୍‌ସିଂହପୁର ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଅଶ୍ୱିନୀ ସ୍ବାଇଁ କୁଜଙ୍ଗ ବ୍ଲକ ଅଧୀନ ରାହାମାଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମଗ୍ର ଦେଶରେ ନ୍ୟାଶନାଲ ରେଜିଷ୍ଟ୍ରାର ଅଫ ସିଟିଜେନଶିପ(ଏନଆରସି)କୁ ନେଇ ବାଦବିବାଦ ଲାଗି ରହିଥିବାବେଳେ ଭାରତୀୟ ଯୁବ କଂଗ୍ରେସ ଦ୍ୱାରା ନ୍ୟାଶନାଲ ରେଜିଷ୍ଟ୍ରାର ଅଫ ଅନ୍‌ଏମ୍ପ୍ଲୟମେଣ୍ଟ ନାମକ ଏକ ରାଷ୍ଟ୍ର ବ୍ୟାପୀ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି। ତେଣୁ ଏହାକୁ ଜୋରଦାର କରିବାକୁ ସେ ନିଜର କର୍ମୀଙ୍କ ସହ ଜିଲାର ବେରୋଜଗାର ଯୁବତୀଯୁବକଙ୍କୁ ଆହ୍ବାନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, କେନ୍ଦ୍ରରେ ଭାଜପା ଓ ରାଜ୍ୟରେ ବିଜେଡି ସରକାର ଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ସିଏସଆଇଇର ଏକ ସର୍ବେକ୍ଷଣ ଅନୁଯାୟୀ, ୫ବର୍ଷରେ ଦେଶର ୫କୋଟି ଯୁବତୀଯୁବକ ବେରୋଜଗାର ଅଛନ୍ତି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ ମୁତାବକ,୨୦୧୭-୨୦୧୮ ବର୍ଷରେ ବେରୋଜଗାରୀଙ୍କ ଆତ୍ମହତ୍ୟା, କୃଷକଙ୍କ ଆତ୍ମହତ୍ୟାଠାରୁ ମଧ୍ୟ ଅଧିକ। ବିମୁଦ୍ରୀକରଣ ପରେ ଲକ୍ଷାଧିକ ଲୋକ ଚାକିରି ହରାଇଛନ୍ତି। ଏଥିପାଇଁ ସର୍ବଭାରତୀୟ ଯୁବ କଂଗ୍ରେସ ତରଫରୁ ଯୁବତୀଯୁବକଙ୍କୁ ଏହି ଅଭିଯାନରେ ସାମିଲ କରାଯିବା ନିମନ୍ତେ ନାମ ପଞ୍ଜୀକରଣ ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ୮୧୫୧୯୯୪୪୧୧ ଜାରି କରାଯାଇଛି। ଏହି ନମ୍ବରରେ ମିସ୍‌ଡକଲ୍‌ ଦେଇ ନିଜକୁ ପଞ୍ଜୀକରଣ କରାଇବାକୁ ସୂଚନା ଦେଇଛନ୍ତି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ନାଥଶର୍ମା, ସୁଦାମ ସ୍ବାଇଁ ଓ ସୌମ୍ୟପ୍ରୀତମ୍‌ ଦାସ ଉପସ୍ଥିତ ଥିଲେ।