ନିମ୍ନମାନର ରାସ୍ତା କାମ ବନ୍ଦ କଲେ ଗ୍ରାମବାସୀ

କୋକସରା, ୨୧।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ପୂର୍ତ୍ତ ବିଭାଗ ଅଧୀନ ସାନପୋଡ଼ାଗୁଡାଠାରୁ ଗୋତମୁଣ୍ଡା ରାସ୍ତାର ଏବେ ଦୋହରୀକରଣ ଚାଲିଛି। ଏଥିଲାଗି ସୂଚନା ଫଳକ ଲଗା ଯାଇନାହିଁ। ପୁନଶ୍ଚ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାସଂସ୍ଥା କାମ କରୁଛି। ଯାହା ବି କାମ ହେଉଛି ତାହା ନିମ୍ନମାନର ହେଉଥିବା ଗୋତମୁଣ୍ଡା ଗଁାର ଯଦୁମଣି ଦୁର୍ଗା, ହେମନ୍ତ ମାଝି, ରତନ ମାଝି, ହରିହର ବାଗ, ବଲିଆରସିଂ ମେହେର, ସୁକଚନ ହଂସ, ଭୁବନେ ଖର୍ସେଲ, ଅର୍ଜୁନ ବାଗ, ଧନେଶ୍ୱର ସୁନା ପ୍ରମୁଖ ଅଭିଯୋଗ କରିଛନ୍ତି। ଗୁରୁବାର ଗୋତମୁଣ୍ଡା ଗ୍ରାମବାସୀ ଏହାର ପ୍ରତିବାଦ କରିବା ସହ କାମକୁ ବନ୍ଦ କରି ଦେଇଛନ୍ତି। ସମ୍ପୃକ୍ତ ଜେଇ ନରେନ୍ଦ୍ର ସାଙ୍କୁ ପଚାରିବାରୁ ଆମ ପାଖରେ ଏ ନେଇ କେହି ଅଭିଯୋଗ କରିନାହାନ୍ତି। ଯଦି ନିମ୍ନମାନର ଅଭିଯୋଗ ଗ୍ରାମବାସୀ କରୁଛନ୍ତି ତା’ହେଲେ ତଦନ୍ତ କରାଯିବ। ତଦନ୍ତରେ ସତ୍ୟତା ଥିଲେ ଠିକାଦାରଙ୍କ ବିରୋଧରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରାଯିବ ବୋଲି କହିଛନ୍ତି ।