ନିମ୍ନମାନର ଚାଉଳ ଦେଇ ଫସିଲା ଯୋଗାଣକାରୀ ସଂସ୍ଥା

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ସଂକ୍ରମିତ, ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଏହାକୁ ପ୍ରତିହତ କରିବା ପାଇଁ ସାରାଦେଶରେ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନକୁ ଏଥିରୁ ବାଦ୍‌ ଦିଆଯାଇଛି । ମାତ୍ର ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନରେ ମଧ୍ୟ କିଭଳି ଅନିୟମିତତା କରାଯାଉଛି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ବରଗଡ଼ରୁ ପଶ୍ଚିମବଙ୍ଗକୁ ଟ୍ରେନ ଯୋଗେ ନିମ୍ନମାନର ଚାଉଳ ଯୋଗାଇ ଦିଆଯାଉଥିବା ଧରାପଡ଼ିଛି । ମଙ୍ଗଳବାର ଏହା ଜଣାପଡ଼ିବା ପରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏଭଳି ଅନିୟମିତତା ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନେବାକୁ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିଛନ୍ତି । ଅନ୍ୟପଟେ ଚାଉଳ ରହିଥିବା ପଣ୍ୟାଗାରର ଅଧିକାରୀ ଧୀରେନ୍ଦ୍ର କୁମାର ବିଶ୍ୱାଳଙ୍କ ଏତଲାକ୍ରମେ ଚାଉଳ ପରିବହନ ଦାୟିତ୍ୱରେ ରହିଥିବା ସଂସ୍ଥା ଯଶୋଦା ରୋଡ୍‌ ଲାଇନ୍ସ ପ୍ରୋପାଇଏଟରଙ୍କ ବିରୋଧରେ ଦଫା ୪୨୦, ୪୦୭, ୧୨୦(ବି), ୩୪ଆଇପିସି ଏବଂ ୭ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ଏକ ମାମଲା ରୁଜୁ ହୋଇଛି । ଏହା ସହିତ ସମ୍ପୃକ୍ତ ସଂସ୍ଥା ପରିବହନ କରୁଥିବା ୪୦୦ ପକେଟ୍‌ ଚାଉଳ ଏବଂ ସମ୍ପୃକ୍ତ ଟ୍ରକକୁ ପୋଲିସ୍‌ ଜବତ କରିଥିବା ବରଗଡ଼ ସଦର ଥାନା ଅଧିକାରୀ ଦିଲିପ କୁମାର ବେହେରା କହିଛନ୍ତି । ସେଥିରୁ ୧୯୮ ପକେଟ୍‌ ଚାଉଳ ଖରାପ ରହିଥିବା ସେ ସୂଚନା ଦେଇଛନ୍ତି ।