ନିମ୍ନମାନର କାମ ଯୋଗୁ ରାସ୍ତା ଦୁଇ ଫାଳ

କେନ୍ଦୁଝର, ୧।୧୦ (ସ୍ବ.ପ୍ର.)-ନିମ୍ନମାନର କାମ ଓ ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ଜିଲାର ବିଶେଷ କରି ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକରେ ବିଭିନ୍ନ ବିଭାଗ ଦ୍ୱାରା କରାଯାଇଥିବା ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି। ନୂଆ ରାସ୍ତା କାମଗୁଡିକ ମଧ୍ୟ କମ ଦିନରେ ଭାଙ୍ଗି ଯାଇ ଯାତାୟାତ ବିପଦପୂର୍ଣ୍ଣ ହୋଇପଡୁଛି। ଏଭଳି ଜମିରିପଶିଠାରୁ ମୟୂରଡିହି ପର୍ଯ୍ୟନ୍ତ ଦୀର୍ଘ ୪ କି.ମି. ୮୬୦ ମିଟର ରାସ୍ତା ନିମ୍ନମାନର କାମ ଯୋଗୁ ଅନେକ ସ୍ଥାନରେ ରାସ୍ତା ଫାଟି ଆଁ କରିଥିବା ବେଳେ ଘାଟିରେ ଥାକିଲି ମରା କାମ କରାଯାଇଥିବାରୁ ରାସ୍ତା ବ୍ୟବହାର ନ ହେଉଣୁ ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ା ପ୍ରାୟ ଏକ ଶହ ଫୁଟ ରାସ୍ତା ଦବି ଯାଇ ଫାଟି ଯାଇଥିବାରୁ ଲୋକ ମାନେ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି। ସେହିପରି ଅନେକ ସ୍ଥାନରେ ରାସ୍ତା କଡ଼ରେ ଠିକ ଭାବରେ ମାଟି ଓ ମୋରମ ପ୍ୟାକିଂ ଦିଆଯାଇନାହିଁ କିମ୍ବା ରୋଲିଂ କରାଯାଇ ନ ଥିବାରୁ ବର୍ଷାରେ ଧୋଇ ହୋଇଯାଉଛି। ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ନଷ୍ଟ ହେବାକୁ ବସିଲାଣି ା ସୂଚନା ଫଳକ ତଥ୍ୟ ଅନୁଯାୟୀ ୨ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କାମ କରାଯାଇଛି। ୨୦୧୨ ଡିସେମ୍ବର ୫ରେ କାମ ଆରମ୍ଭ ହୋଇ ୨୦୧୮ ସେପ୍ଟେମ୍ବର ୪ରେ ଶେଷ ହେବାକୁ ଥିବା ଏହି ରାସ୍ତା କାମ ଅଦ୍ୟାବଧି ସରିନାହିଁ ା ତେବେ ଏହା ସତ୍ତ୍ୱେ ବିଲ୍‌ କରି ଠିକାଦାରଙ୍କୁ ପୈଠ କରାଯାଇଥିବା ଅଭିଯୋଗ ହେଉଛି ା ୫ ବର୍ଷ ରକ୍ଷଣାବେକ୍ଷଣ ବାବଦକୁ ୧୭.୧୭ ଲକ୍ଷ ଟଙ୍କା ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଜନ କେନ୍ଦୁଝର ୨ ଅଧୀନରେ ଏହି କାମ ଚାଲିଛି। ଶ୍ରମିକ ମାନେ ଆଇନଗତ ଭାବେ ମିଳିବାକୁ ଥିବା ସର୍ବନିମ୍ନ ମଜୁରି ପାଇ ନ ଥିବା ଅଭିଯୋଗ କରିଛନ୍ତି। ଏଣୁ ଏହାର ତଦନ୍ତ ଶ୍ରମ ବିଭାଗ ପକ୍ଷରୁ କରିବାକୁ ଦାବି ହେଉଛି। ଯେଉଁଠି କାମ ଖରାପ ହୋଇଛି ସେଠାରେ କାମ ମରାମତି କରି ଠିକ କରାଯିବ ବୋଲି ଏହି କାର୍ଯ୍ୟର ତଦାରଖ କରିଥିବା ଯନ୍ତ୍ରୀ ଦୋଳଗୋବିନ୍ଦ ମହାରଣା କହୁଥିଲେ ହେଁ ନୂଆ କାମକୁ ମରାମତି କଲେ ଏହା କେତେ ଦୂର ସୃଦୃଢ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା