Categories: ପୁରୀ

ନିମାପଡ଼ା ଆମିଷ ବଜାରରେ ପ୍ରବଳ ଭିଡ଼

ନିମାପଡ଼ା,୧।୪(ଡି.ଏନ.ଏ.): ସମଗ୍ର ବିଶ୍ୱରେ ମହାମାରୀ କରୋନା ସଂକ୍ରମଣର ବିଭୀଷିକା ଦେଖାଦେଇଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଘୋଷଣା କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କହିଥିଲେ ସୁଦ୍ଧା ଲୋକେ ଏହାକୁ ବେଖାତିର କରୁଛନ୍ତି। ନିମାପଡ଼ା ବ୍ଲକରେ ଅଧିକାଂଶ ଲୋକ ଆଦୌ ସଚେତନ ହେଉ ନ ଥିବା ଦେଖାଯାଇଛି। ବୁଧବାର ସ୍ଥାନୀୟ ବାରବାଟି ପଡ଼ିଆର ଆମିଷ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଲୋକମାନେ ଲକଡାଉନ ବ୍ୟବସ୍ଥା ଓ ସାମାଜିକ ଦୂରତା ରକ୍ଷା ଆଦିକୁ ଅବମାନନା କରି ମାଛ, ମାଂସ କିଣିବାରେ ଲାଗିଛନ୍ତି। ବ୍ୟବସାୟୀମାନେ ମଧ୍ୟ ବେପାର ହେଉଥିବାରୁ ଲୋକଙ୍କୁ ସଚେତନ କରୁ ନାହାନ୍ତି। ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଏ ଦିଗରେ ବାରମ୍ବାର ସଚେତନତା ସୃଷ୍ଟି କରାଯାଇଥିଲେ ମଧ୍ୟ ଲୋକେ ଏହାକୁ ମାନୁ ନାହାନ୍ତି। ତେଣୁ ସରକାରୀ ଆଇନ ଓ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।