Categories: ଜାତୀୟ

ନିଜ ହେଲିକପ୍ଟରକୁ ଖସାଇଥିଲା ଆଇଏଏଫ୍‌

ନୂଆଦିଲ୍ଲୀ,୨୫ା୫: ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍‌ ଶିବିରରେ ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌ରେ ୩୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା ଦାବି କରାଯାଇଥିଲା। ଏହାର ସତ୍ୟାସତ୍ୟ ଅଦ୍ୟାବଧି ସାମ୍‌ନାକୁ ଆସି ନ ଥିବାବେଳେ କେତେକ ଜାତୀୟ ଗଣମାଧ୍ୟମରେ ସମସ୍ତଙ୍କୁ ଚକିତ କରିଦେବା ଭଳି ଖବର ପ୍ରକାଶ ପାଇଛି। ଆଇଏଏଫ୍‌ ପାକିସ୍ତାନୀ ଯୁଦ୍ଧବିମାନକୁ ଜବାବ ଦେବାକୁ ଯାଇ ଭୁଲବଶତଃ ନିଜର ଏକ ହେଲିକପ୍ଟରକୁ ଖସାଇ ଦେଇଥିଲା। ଏଥିରେ ୬ ଭାରତୀୟ ଯବାନ ପ୍ରାଣ ହରାଇଥିଲେ। ହେଲେ ଏହି ସତକୁ ସେତେବେଳେ ଚପାଇ ରଖାଯାଇଥିଲା। ଏବେ ନିର୍ବାଚନ ଶେଷ ହେବାପରେ ଏହା ଲୋକଲୋଚନକୁ ଆସିଛି, ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ପରାକ୍ରମକୁ ଭାଜପା ନିର୍ବାଚନୀ ମୁଦ୍ଦା କରି ବିପୁଳ ବିଜୟ ହାସଲ କଲା। ଭାରତର ଅଖଣ୍ଡତା ଓ ଆତଙ୍କବାଦକୁ ନେଇ ସାଲିସ୍‌ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଭାଜପା ନେତାମାନେ ବିଭିନ୍ନ ନିର୍ବାଚନ ର଼୍ୟାଲିରେ କହି ଭୋଟରଙ୍କୁ ପ୍ରଭାବିତ କଲେ। ସେନାକୁ ନିର୍ବାଚନ ପ୍ରଚାରରେ ସାମିଲ କରାଯିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଲେ। ନିର୍ବାଚନ ଆଚ୍ଚରଣ ବିଧି ଉଲ୍ଲଂଘନ କଥା ମଧ୍ୟ ଉଠିଲା। ନିର୍ବାଚନ କମିଶନ ମଧ୍ୟ ଏଥିରୁ ବିରତ ରହିବାକୁ କହିଲେ। ହେଲେ ଶେଷ ପର୍ଯ୍ୟନ୍ତ ପ୍ରଚାରରେ ସେନାକୁ ସାମିଲ କରାଗଲା। ଭାଜପା ନେତୃତ୍ୱାଧୀନ ସରକାରରେ ସେନା ସଫଳତାକୁ ନେଇ ଡିଣ୍ଡିମ ପିଟାଯିବା ପରେ ବିପୁଳ ଜନାଦେଶ ସରକାର ସପକ୍ଷରେ ଆସିଲା। ହେଲେ ବାଲାକୋଟ ଆକ୍ରମଣ ବେଳେ ଘଟିଥିବା ସତକୁ ଲୁଚାଇ ରଖାଗଲା। ଆଗକୁ ନିର୍ବାଚନ ଥିବାରୁ ଏହା ଫଳାଫଳକୁ ପ୍ରଭାବିତ କରିବ ଜାଣି ସର୍ବସମ୍ମୁଖକୁ ଅଣାଯାଇ ନ ଥିଲା। ତେବେ ପ୍ରଶ୍ନ ଉଠୁଛି ଏତେବଡ଼ ସତକୁ ଲୁଚାଯାଇଥିଲା କାହିଁକି। ଲୋକଙ୍କ ମାନସିକତା ଉପରେ ଏହା ଏକ ମସ୍ତ ବଡ଼ ଆଘାତ୍‌ ନୁହେଁ କି। ଏହା ସରକାରଙ୍କ ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟିକରୁନି କି।
ପୁଲ୍‌ଓ୍ବାମାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଆକ୍ରମଣ କରି ୪୦ରୁ ଊର୍ଦ୍ଧ୍ୱ ଭାରତୀୟ ଯବାନଙ୍କ ପ୍ରାଣହାନି ଘଟାଇଥିବାବେଳେ ଏହାର ପ୍ରତିଶୋଧ ନେବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଫେବୃୟାରୀ ୨୬ରେ ପିଓକେର ବାଲାକୋଟ୍‌ସ୍ଥିତ ଜେଇଏମ୍‌ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ଭାରତୀୟ ବାୟୁସେନା ପକ୍ଷରୁ ସେଠାରେ ଆକାଶମାର୍ଗରୁ ଘନଘନ ବୋମାମାଡ଼ କରାଯାଇଥିଲା। ସୀମାରେ ଯୁଦ୍ଧସମ ପରିସ୍ଥିତି ଦେଖାଦେଇଥିଲା। ତା’ ପରଦିନ ଭାରତୀୟ ବାୟୁସେନା ପକ୍ଷରୁ ଏକ ମସ୍ତ ବଡ଼ ଭୁଲ ହୋଇଥିଲା। ଭାରତୀୟ ବାୟୁସେନା ଜମ୍ମୁ-କଶ୍ମୀରର ବଡ଼ଗାମ୍‌ଠାରେ ନିଜର ଏକ ହେଲିକପ୍ଟରକୁ ଶତ୍ରୁପକ୍ଷର ଭାବି ଖସାଇ ଦେଇଥିଲା। ଏଥିରେ ଥିବା ୬ ଭାରତୀୟ ଯବାନ ପ୍ରାଣ ହରାଇଥିଲେ। ରହସ୍ୟ ହୋଇ ରହିଥିବା ସତ୍ୟ ଏବେ ପଦାକୁ ଆସିବା ପରେ ପ୍ରତିକ୍ରିୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଭାରତୀୟ ବାୟୁସେନାର ଅଧିକାରୀଙ୍କୁ ଏଥିଲାଗି ଦାୟୀ କରାଯାଇ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା କଥା ଉଠୁଛି। ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Share