Categories: ଜାତୀୟ

ନିଜ ରାଇଜରେ ବେଘର ଜଙ୍ଗଲ ରାଜା: ୨୦୨୨ସୁଦ୍ଧା ବାଘ ସଂଖ୍ୟା ୨ ଗୁଣା କରିବାକୁ ୧୩ ଦେଶର ମିଳିତ ପ୍ରୟାସ

ନୂଆଦିଲ୍ଲୀ,୨୯।୭: ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ ପରିସୀମା କମିବାରେ ଲାଗିଛି। ଏହାଦ୍ୱାରା ଜଙ୍ଗଲ ରାଜା ବାଘ ନିଜ ରାଇଜରେ ବି ବେଘର ହେବାରେ ଲାଗିଛି। ଏହାଯୋଗୁ ବାଘ ସଂଖ୍ୟା କମିବାରେ ଲାଗିଛି। ତେଣୁ ପ୍ରତିବର୍ଷ ଜୁଲାଇ ୨୯ରେ ବିଶ୍ୱ ବାଘ ଦିବସ ପାଳିତ ହେଉଛି। ୨୦୧୦ରେ ରୁଷିଆର ସେଣ୍ଟ୍‌ ପିଟର୍ସବର୍ଗଠାରୁ ହୋଇଥିବା ଏକ ସମ୍ମିଳନୀରେ ବାଘ ସଂରକ୍ଷଣ ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଏନେଇ ସଚେତନା ସୃଷ୍ଟି ପାଇଁ ବାଘ ଦିବସ ପାଳନ କରାଯାଉଛି। ଏହି ସମ୍ମିଳନୀରେ ୧୩ଟି ଦେଶ ଯୋଗଦେଇଥିଲେ। ୨୦୨୨ ସୁଦ୍ଧା ବାଘ ବଂଶକୁ ୨ ଗୁଣା ଲକ୍ଷ୍ୟ ନେଇ ସମ୍ପୃକ୍ତ ଦେଶମାନେ ମିଳିତ ଭାବେ ପ୍ରୟାସ ଜାରି ରଖିଛନ୍ତି। ୧୯୧୫ରେ ପୃଥିବୀରେ ବାଘ ସଂଖ୍ୟା ଏକ ଲକ୍ଷରୁ ଅଧିକ ଥିଲା। ତେବେ ଗତ ଶହେ ୪ ବର୍ଷ ମଧ୍ୟରେ ବାଘ ସଂଖ୍ୟା ୯୫ ପ୍ରତିଶତ କମିଛି। ୨୦୧୬ ଗଣନା ଅନୁସାରେ ପୃଥିବୀରେ ପ୍ରାୟ ୬ ହଜାର ବାଘ ରହିଛନ୍ତି ସେଥିମଧ୍ୟରୁ ଭାରତରେ ୩ ହଜାର ପାଖାପାଖି ବାଘ ଅଛନ୍ତି। ପୃଥିବୀରେ ସାଧାରଣତଃ ସାଇବେରିଆ ବାଘ, ବେଙ୍ଗାଲ ବାଘ, ଇଣ୍ଡୋଚାଇନିଜ୍‌ ବାଘ, ମାଲେସିଆ ବାଘ, ସୁମାତ୍ରା ବାଘ ଏବଂ ଦକ୍ଷିଣ ଚାଇନା ବାଘ ଆଦି ୬ଟି ପ୍ରଜାତି ବାଘ ଦେଖାଯାଇଥାନ୍ତି। ତେବେ ବାଲି ବାଘ, କ୍ୟାସ୍ପିୟନ୍‌ ବାଘ ଏବଂ ଜାବନ ବାଘ ଏବେ ପୃଥିବୀରୁ ଲୋପ ପାଇଯାଇଛି। ୧୯୭୩ରେ ଭାରତରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ପ୍ରୋଜେକ୍ଟ ଟାଇଗର ଯୋଜନା ଆରମ୍ଭ ହୋଇଥିଲା। ଏହା ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୫୦ ବାଘ ଅଭୟାରଣ୍ୟ ପ୍ରକଳ୍ପ ଆରମ୍ଭ ହୋଇଛି। ଭାରତ ବାଘଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଭାରତରେ ବାଘ ସଂଖ୍ୟାରେ ୭ଶହ ବୃଦ୍ଧି ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୦ରେ ଦେଶରେ ଏକ ହଜାର ୭ଶହ ୬ ବାଘ ଥିଲେ। ୨୦୧୪ରେ ଭାରତରେ ବାଘ ସଂଖ୍ୟା ୨ ହଜାର ୨ଶହ ୨୬କୁ ବୃଦ୍ଧି ପାଇଥିଲା। ସେହିପରି ୨୦୧୮ରେ ଏହା ୨ ହଜାର ୯ ଶହ ୬୭ରେ ପହଞ୍ଚିଥିଲା। ଗତ ୩ ବର୍ଷ ମଧ୍ୟରେ ୬୦ ହାତୀ ଏବଂ ୮ ବାଘଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share