ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ପାରାଦ୍ୱୀପ, ୬।୧(ସ୍ବ.ପ୍ର): ପାରାଦ୍ୱୀପ ମାଛଧରା ବନ୍ଦର ପୋତାଶ୍ରୟରେ ସୋମବାର ଜଣେ ନିଖୋଜ ମତ୍ସଜୀବୀଙ୍କ ମୃତଦେହ ଉଦ୍ଧାର କରିଛି ମେରାଇନ୍‌ ପୋଲିସ୍‌ । ସେ ହେଲେ ଭଦ୍ରକ ଜିଲାର ଉପେନ୍ଦ୍ର ପରିଜା(୪୦)। ଗତ ୧ ତାରିଖରୁ ସେ ନିଖୋଜ ଥିଲେ ବୋଲି ଅଭିଯୋଗ ହୋଇଥିଲା। ଉପେନ୍ଦ୍ର କାଳିଆସୁନା ନାମକ ମାଛଧରା ଟ୍ରଲରରେ ଷ୍ଟାଫ୍‌ ଥିଲେ। ସୋମବାର ପୋତାଶ୍ରୟର ୧ନଂ ଜେଟ୍ଟିପାଖରେ ମୃହଦେହ ଦେଖିବାକୁ ମିଳିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାର ଲୋକେ ଭଦ୍ରକରୁ ଏଠାରେ ଆସି ପହଞ୍ଚିବା ପରେ ଉପେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ମତ୍ସ୍ୟଜୀବୀ ପ୍ରାୟତଃ ନିଶାଶକ୍ତ ଅବସ୍ଥାରେ ରହିଥାନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଥାନାଧୀକାରୀ ପ୍ରଦ୍ୟୁମ୍ନ କୁମାର କହିଛନ୍ତି। ହୁଏତ ୧ ତାରିଖ ରାତିରେ ସେ ପାଣିରେ ବୁଡି ଯାଇଥାଇପାରନ୍ତି ବୋଲି ସେ କହିଛନ୍ତି। ଏ ବିଷୟରେ ସବିଶେଷ ତଥ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ସେ ସ୍ପଷ୍ଟ କରିଛନ୍ତି।