ନିଖୋଜ ଅଙ୍ଗନୱାଡି ସହାୟିକାଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି: ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ଆଠମଲ୍ଲିକ,୨୬ା୧୧(ଡି.ଏନ.ଏ.)- ଗତ ଅକ୍ଟୋବର ୯ରୁ ନିଖୋଜ ଥିବା ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି ନେଇ ମଙ୍ଗଳବାର ଆଞ୍ଚଳିକ ମହିଳା ସୁରକ୍ଷା କମିଟି ଡିଗିପଦର ପକ୍ଷରୁ ଆଠମଲ୍ଲିକ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଜନଜୀବନ ସୁରକ୍ଷା କମିଟି ଆବାହକ ତୀର୍ଥବାସୀ ଭୋଇଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ବସ୍‌ଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ଆଞ୍ଚଳିକ ମହିଳା ସୁରକ୍ଷା କମିଟି ସଭାନେତ୍ରୀ ପଙ୍କଜିନୀ ସାହୁଙ୍କ ସଭାପତିତ୍ୱରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସୁରକ୍ଷା କମିଟି ଆବାହକ ଭୋଇ, ନାରୀନେତ୍ରୀ ସରୋଜିନୀ ନାୟକ, ମହିଳା ସୁରକ୍ଷା କମିଟି ସମ୍ପାଦିକ ପ୍ରେମଶୀଳା କମ୍ପ, ସମିତିସଭ୍ୟା ଆରତି ନାୟକ, ଜଗନ୍ନାଥ ମହାକୁର, ବିନିତା ସାହୁ, ଚିତ୍ତରଞ୍ଜନ ବିଶ୍ୱାଳ, କିଶୋରଚନ୍ଦ୍ର ଦେହୁରୀ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କୁ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା।