ନିଆଁରେ ପୋଡି ହୋଇ ମହିଳା ମୃତ: ୫ମାସର ଗର୍ଭବତୀ ଥିଲେ; ହତ୍ୟା ଅଭିଯୋଗ ଆଣିଲେ ମା’

ଝୁମ୍ପୁରା, ୮।୧ ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମ ମହାନ୍ତ ସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ଏକ ଦୁଃଖଦ ଘଟଣା ଘଟିଛି ା ନିଆଁରେ ପୋଡ଼ି ହୋଇ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି ା ମୃତକ ହେଲେ ଲିନାରାଣୀ ମହାନ୍ତ (୨୨ବର୍ଷ)। ସେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକେ କହୁଥିବା ବେଳେ ମୃତକଙ୍କ ମା’ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦର୍ଶାଇ ଥାନାରେ ଏତଲା ଦେଇଛନ୍ତି ା ଏହି ଅଭିଯୋଗ ପରେ ଝୁମ୍ପୁରା ପୋଲିସ ତନାଘନା ଚଳାଇଛି। ଉକ୍ତ ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ା ଫଳରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇପାରି ନ ଥିବା ପୋଲିସ କହିଛି ା ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ମିଶି ପୋଡ଼ି ଦେଇଥିବା ଲିନାଙ୍କ ମା’ଦମୟନ୍ତୀ ମହାନ୍ତ ଅଭିଯୋଗ କରିଛନ୍ତି ା
ମିଳିଥିବା ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ରାଇଗୁଡି ଗ୍ରାମର ଲିନା ମହାନ୍ତଙ୍କ ସହିତ ଅର୍ଶଳା ଗ୍ରାମର କୁନାଲ ମହାନ୍ତଙ୍କ ବିବାହ ୯ମାସ ପୂର୍ବରୁ ହୋଇଥିଲା। ସେ ୫ମାସର ଗର୍ଭବତୀ ଥିଲେ। ସୋମବାର ରାତିରେ ପାରିବାରିକ କଳହ ଯୋଗୁ ସେ କବାଟ ବନ୍ଦ କରି ଘରେ ଶୋଇଥିଲେ ା ଏହାର କିଛି ସମୟ ପରେ ଘର ଭିତରେ ନିଆଁ ଜଳୁଥିବା ଦେଖାଯାଇଥିଲା। ଗ୍ରାମବାସୀ କବାଟ ଭାଙ୍ଗି ଘରେ ପଶିବା ବେଳକୁ ଲିନାଙ୍କ ଶରୀର ୭୦ ପ୍ରତିଶତ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ପକ୍ଷରୁ ଝୁମ୍ପୁରା ଥାନାକୁ ଖବର ଦିଆଯାଇଥିଲା। ଲୀନାଙ୍କ ବାପଘରକୁ ଖବର ଦିଆଯିବା ପରେ ମଧ୍ୟାହ୍ନରେ ତାଙ୍କ ମା’ ଏବଂ ଭାଇ ଆସି ଝୁମ୍ପୁରା ଥାନାରେ ଏତଲା ଦେଇଥିଲେ। ଏ ସଂକ୍ରାନ୍ତରେ ଏକ ମାମଲା (ନଂ ୬/୨୦୨୦) ରୁଜୁ ହୋଇ ପୋଲିସ ତଦନ୍ତ ଜାରି ରଖିଛି। ଥାନାଧିକାରୀ ବିରଞ୍ଚି ବାଗଙ୍କ ସହିତ ପୋଲିସ କର୍ମଚାରୀ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଝୁମ୍ପୁରା ଅତିରିକ୍ତ ତହସିଲଦାର କ୍ରେସେନିଆ ତିର୍କି ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ା