ନିଆଁରେ ପୋଡ଼ି ବିବାହିତା ମହିଳାଙ୍କ ମୃତ୍ୟୁ

ବନ୍ତ, ୧୫ା୪(ସ୍ବ.ପ୍ର.)-ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ନୂଆପୋଖରୀ ଗ୍ରାମରେ ମଙ୍ଗଳବାର ସକାଳେ ଜଣେ ବିବାହିତା ମହିଳା ନିଆଁରେ ପୋଡିହୋଇ ମୃତ୍ୟୁବରଣ କରିଛନ୍ତି। ପରିବାର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ବାପଘର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୩୮/୨୦) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ମହିଳାଙ୍କ ସ୍ବାମୀକୁ ଥାନାରେ ଅଟକ ରଖିଛି।
ଉକ୍ତ ଗ୍ରାମର ମାନସ ନାୟକ ୧୨ବର୍ଷ ତଳେ ସୋସୋ ଥାନା ଅଧୀନ ମୌଦା ଗ୍ରାମର ପଦ୍ମିନୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୧୦ ବର୍ଷର ଗୋଟିଏ ପୁଅ ଅଛି। ସକାଳେ ପଦ୍ମିନୀ ଘର ଭିତରେ ନିଜ ଦେହରେ ନିଆଁ ଲଗାଇ ଆମତ୍ହତ୍ୟା କରିଥିବା ପରିବାର ଲୋକେ ପୋଲିସକୁ କହିଛନ୍ତି। ପଦ୍ମିନୀଙ୍କ ମା’ ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରିଥିବା ଆଗରପଡା ଥାାନରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଥମେ ପୋଲିସ ସ୍ବାମୀ ଓ ଶ୍ୱଶୁରଙ୍କୁ ଥାନାକୁ ନେଇଥିଲା। ଅନ୍ତ୍ୟେଷ୍ଟିକ୍ରିୟା ପାଇଁଁ ଶ୍ୱଶୁରଙ୍କୁ ଛାଡି ଦେଇଥିବା ପୋଲିସ କହିଛି। ଦିଅର ଓ ସାନ ଯା ଫେରାର ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।