ନାହିଁ ଜଳ ନିଷ୍କାସନ ବ୍ୟବସ୍ଥା: ବିଦ୍ୟାଳୟ ପରିସରରେ ଜମି ରହୁଛି ବର୍ଷା ପାଣି, ପାଠପଢାରେ ସମସ୍ୟା

ଖଣ୍ଡପଡା,୨୯।୯(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବନମାଳୀପୁର ପଞ୍ଚାୟତର ପଥୁରିଆ ଗ୍ରାମସ୍ଥିତ ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ବିଦ୍ୟାଳୟ ପରିସରରେ ପାଣି ଜମିରହୁଛି । ଲଗାଣ ବର୍ଷା ହେଲେ ପରିସ୍ଥିତି ଶୋଚନୀୟ ହୋଇପଡୁଛି। ବିଦ୍ୟାଳୟ ପରିସରରେ ପାଣି ଜମି ରହି ସନ୍ତସନ୍ତିଆ ପରିବେଶ ସୃଷ୍ଟି ହେବା ସହ ଶ୍ରେଣୀଗୃହର ଚଟାଣ ମଧ୍ୟ ଓଦା ରହୁଛି। ଏପରିସ୍ଥିତିରେ ପିଲାମାନଙ୍କ ପାଠପଢାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ପରିସରରେ ଦିନଦିନ ଧରି ବର୍ଷାଜଳ ଜମି ରହିବା ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏପରିସ୍ଥିତିରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକମାନେ ଚଳାଚଳ କରୁଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଉଛି । ସେହିପରି ବିଦ୍ୟାଳୟ ଚତୁଃପାର୍ଶ୍ୱରେ ବର୍ଷା ଜଳ ଜମି ଏହା ପୋଖରୀର ଭ୍ରମ ସୃଷ୍ଟି କରୁଛି । ଏକ ଖାଲୁଆ ଅଞ୍ଚଳରେ ଅବସ୍ଥିତ ଏହି ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିବାରୁ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନ ଦୃଷ୍ଟି ଦେବା ସହ ବନମାଳୀପୁର ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପଥୁରିଆ ଗ୍ରାମବାସୀ ଦାବି କରିଛନ୍ତି।