Categories: ରାୟଗଡା

ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ଦାମନଯୋଡ଼ି/କୋରାପୁଟ,୧୯ା୪(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ିରେ ଶୁକ୍ରବାର ଅପରାହ୍ନରେ ପ୍ରବଳ କୁଆପଥର ବର୍ଷା ହୋଇଛି। ଏଥିରେ ନାଲକୋର ହିଲଟପ୍‌ ବରଫାବୃତ୍ତ ହୋଇ କାଶ୍ମୀରର ଭ୍ରମ ସୃଷ୍ଟି କରିଛି। ପଞ୍ଚପଟ୍ଟମାଳି ଖଣିର ହିଲଟପ ଅଞ୍ଚଳରେ ପ୍ରାୟ ୨ ଇଞ୍ଚର କୁଆପଥର ବର୍ଷା  ହୋଇଥିଲା। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଶୁକ୍ରବାର ଅପରାହ୍ନ ୨ଟା ଭିତରେ କୋରାପୁଟ ଜିଲାର ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡ଼ା ବ୍ଲକରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ଆଶଙ୍କା ଥିବା ସୂଚନା ଦିଆଯାଇଥିଲା। ଅପରାହ୍ନ ୫ଟା ସୁଦ୍ଧା ଜିଲାର ନାରାୟଣପାଟଣାରେ କୁଆପଥର ବୃଷ୍ଟି ସାମାନ୍ୟ ହୋଇଥିବା ବେଳେ ହିଲ୍‌ଟପ୍‌ ଅଞ୍ଚଳରେ  ପ୍ରବଳ କୁଆପଥର ବର୍ଷିଥିଲା। ଅନ୍ୟ କୌଣସି ସ୍ଥାନରେ ବର୍ଷାର ସୂଚନା ନଥିଲା। ତେବେ ଗତ ବର୍ଷ ମଧ୍ୟ ଦାମନଯୋଡ଼ି ଅଞ୍ଚଳରେ ପ୍ରବଳ କୁଆପଥର ବର୍ଷା ହୋଇ କିଛି ସମୟ ପାଇଁ କାଶ୍ମୀରର ଭ୍ରମ ସୃଷ୍ଟି କରିଥିଲା।