ନାରୀ ନିର୍ଯାତନାକୁ ବିରୋଧ କରି କଂଗ୍ରେସର ଶୋଭାଯାତ୍ରା

ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟରେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଓ ଅସଦାଚରଣ ପ୍ରସଙ୍ଗ ବୃଦ୍ଧି ପାଉଥିବା ଘଟଣାକୁ ପିସିସି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର ମା’କୁ ସମ୍ମାନ ଡିଣ୍ଡିମ ପିଟୁଥିଲା ବେଳେ ପ୍ରତିଦିନ ନାରୀ ନିର୍ଯାତନା ବଢ଼ିଚାଲିଛି। ଦୋଷୀକୁ ଦଣ୍ଡ ଦେବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବଦ୍ରଷ୍ଟା ସାଜିବା ଏବଂ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ଯୋଗୁ ଏଭଳି ଅପରାଧ ବୃଦ୍ଧି ପାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଦୋଷୀଙ୍କୁ କଠୋର ଦଣ୍ଡ, ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୁରୁବାର ପିସିସି ପକ୍ଷରୁ କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା। ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଶୋଭାଯାତ୍ରା ପହଞ୍ଚି ପରେ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା ା ଏହାପରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।