ନାବାଳିକାଙ୍କ ବିବାହ ବନ୍ଦ କଲା ପୋଲିସ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୧।୧୧ (ଡି.ଏନ.ଏ/ସ୍ବ.ପ୍ର): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଲଙ୍ଗୁଳି ମଠ ପରିସରରେ ବୁଧବାର ନାବାଳିକାଙ୍କ ବିବାହ ଆୟୋଜନ ଚାଲିଥିଲା। ଖବରପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବାହ ବନ୍ଦ କରିଥିଲେ। ଏଥିସହ ବୟସ ନ ହେବା ପର୍ଯ୍ୟନ୍ତ ବିବାହ କରିପାରିବେ ନାହିଁ ବୋଲି ନାବାଳିକାଙ୍କ ପିତାମାତାଙ୍କଠାରୁ ଲିଖିତ ପ୍ରତିଶ୍ରୁତି ପାଇଲା ପରେ ଛାଡ଼ିଥିଲେ। ସୂଚନା ଥାଉକି, ଏହି ଥାନା କଳାଶ୍ରୀ ଗ୍ରାମର ବଇରା ଦଳେଇଙ୍କ ପୁଅ ରାଜା ଦଳେଇ (୨୪)ଙ୍କ ସହିତ ତାଳୁଆ ବାଲିକୁଦା ଗ୍ରାମର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହି ପ୍ରେମ ସମ୍ପର୍କକୁ ନେଇ ଉଭୟ ପରିବାର ବିବାହ କରିବାକୁ ରାଜି ହୋଇଥିଲେ। ପରିବାରର ସହମତିରେ ବୁଧବାର ଲଙ୍ଗୁଳି ମଠ ପରିସରରେ ବିବାହ ପାଇଁ ଆୟୋଜନ ଚାଲିଥିଲାବେଳେ ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ର ଓ ବାଲିଚନ୍ଦ୍ରପୁର ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ କୁସୁମ ମହାରଣା ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବନ୍ଦ କରିଥିଲେ।