ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୨୮ା୮- ନାବାଳିକାଙ୍କୁ ବଳାତ୍କାର ମାମଲାର ମଙ୍ଗଳବାର ଶୁଣାଣି କରି ଅତିରିକ୍ତ ଜିଲା ଦୌରା ଜଜ -୨ ତଥା ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ବଳାତ୍କାରୀଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୭ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଅନାଦାୟ ଅଧିକ ୪ ମାସ ଜେଲଦଣ୍ଡ ଭୋଗିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।ପ୍ରକାଶ ଯେ, ୨୦୧୮ ଜାନୁୟାରୀ ୧୨ ଅପରାହ୍ନ ପ୍ରାୟ ୫ଟାରେ ଜଣେ ୩ୟ ଶ୍ରେଣୀ ଛାତ୍ରୀ ସ୍କୁଲରୁ ଘରକୁ ଫେରିଥିଲେ। ତାଙ୍କ ମା’ ବାରିପଟେ ବାସନ ସଫା କରୁଥିବା ବେଳେ ନାବାଳିକା ଘରେ ଟିଭି ଦେଖୁଥିଲେ। ଏହି ସମୟରେ ଜଣେ ଯୁବକ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଛାତ୍ରୀ ଜଣଙ୍କ ଚିତ୍କାର କରିଥିଲେ। ଝିଅ ପାଟି ଶୁଣି ବାରିପଟେ ଥିବା ପୀଡିତାଙ୍କ ମା’ ଘରକୁ ଆସିଯିବାରୁ ଯୁବକ ଜଣଙ୍କ ଦୌଡ଼ି ପଳାଇଥିଲେ। ଗୁରୁତର ଥିବା ଝିଅଙ୍କୁ ତାଙ୍କ ମା’ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୫/୧୮ରେ ମାମଲା ରୁଜୁକରି ଅଭିଯୁକ୍ତ ଗୋଇଲୁଣ୍ଡିର ପ୍ରଭାତ ନାୟକ ଓରଫ ରିଙ୍କୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତକାରୀ ଅଧିକାରୀ ତଥା ଏସ୍‌ଆଇ ସବିତା ପାଣିଗ୍ରାହୀ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ଅଭିଯୁକ୍ତ ରିଙ୍କୁ ଘଟଣା ପରଠାରୁ ଜେଲରେ ଥିବା ବେଳେ ମଙ୍ଗଳବାର ଏହି ମାମଲାର ବିଚାର ବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୭ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଅଭିଯୁକ୍ତ ପ୍ରଭାତଙ୍କୁ ଉପରୋକ୍ତ ଦଣ୍ଡାଦେଶର ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପୋକ୍‌ସୋ ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।