ନାବାଳିକାଙ୍କୁ ଘର ଆଗରୁ ଉଠାଇ ନେଇଥିଲେ, ଜେଲ୍‌ ଗଲେ ଯୁବକ

ନୟାଗଡ଼ ଅଫିସ,୧ା୯: ନୟାଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା(୧୩)ଙ୍କୁ ଅପହରଣ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଯୁବକ ଜଣକ ହେଲେ ସଦର ଥାନା ଗୁଡୁପାଙ୍ଗୀ ଗ୍ରାମର ଦୀନବନ୍ଧୁ ପ୍ରଧାନ (୨୦)। ଥାନାରୁ ମିଳିଥିବା ସୂଚନା ଅନୁସାରେ ଦୀନବନ୍ଧୁ ଗତ ୨୭ ତାରିଖ ରାତିରେ ନାବାଳିକାଙ୍କୁ ତାଙ୍କ ଘର ଆଗରୁ ଉଠାଇ ନେଇଥିଲେ। ପରଦିନ ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଯୁବକଙ୍କ ମୋବାଇଲ୍‌ ଟ୍ରାକିଂ କରି ଉଭୟ ନାବାଳିକା ଓ ଯୁବକ ଭୁବନେଶ୍ୱରରେ ଥିବା ଜାଣିବାକୁ ପାଇଥିଲା। ଶନିବାର ନାବାଳିକାଙ୍କୁ ପୋଲିସ ଭୁବନେଶ୍ୱର ବଡ଼ଗଡ଼ ଥାନା ଅନ୍ତର୍ଗତ ବ୍ରିଟ୍‌ କଲୋନୀରୁ ଉଦ୍ଧାର କରିବା ସହିତ ଯୁବକଙ୍କୁ ଗିରଫ କରିଥିଲା। ପରେ ପୋଲିସ ନାବାଳିକାଙ୍କୁ ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିଲା। ନାବାଳିକାଙ୍କ ବୟାନ ରେକର୍ଡ଼ କରାଯିବା ସହିତ ଡାକ୍ତରୀମାଇନା କରାଯାଇଥିଲା। ବର୍ତ୍ତମାନ ନାବାଳିକାଙ୍କୁ ଶିଶୁ ସୁଧାର ଗୃହରେ ରଖାଯାଇଛି ଓ ଆଗାମୀ ଦିନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଟାଉନ ପୋଲିସ ପକ୍ଷରୁ ସୂଚନା ମିଳିଛି। ଏ ନେଇ ଥାନାରେ ୧୨୧/୧୯ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖୁଣ୍ଟବନ୍ଧ ଜେଲ୍‌କୁ ପଠାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି।