ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ୩ ବର୍ଷ ପରେ ୨ ଅଭିଯୁକ୍ତ ଗିରଫ

ଉଦଳା,୨୯ା୯(ଡି.ଏନ୍‌.ଏ.)- ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କୁ ପ୍ରେମିକ ନିଜର ଦୁଇ ସହଯୋଗୀଙ୍କ ସହିତ ମିଶି ୧୨ ଦିନ ଧରି ରାଜ୍ୟ ବାହାରେ ଗଣବଳାତ୍କାର କରିବା ଅଭିଯୋଗ ହୋଇଥିଲା। ଘଟଣାର ୩ ବର୍ଷ ପରେ ଶନିବାର ୨ ଅଭିଯୁକ୍ତଙ୍କୁ ଉଦଳା ପୋଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଉଦଳା ଥାନା ନରସିଂହପୁର ଗ୍ରାମର ବାପୁନ ଓରଫ୍‌ ରଞ୍ଜିତ ସିଂହ (୩୬) ଏବଂ କାଦାଳା ଓରଫ୍‌ ଇଶ୍ୱର ଜେନା(୩୭)। ଡାକ୍ତରୀ ମାଇନା ପରେ ଉଭୟଙ୍କୁ ରବିବାର ବାରିପଦା କୋର୍ଟଚାଲାଣ କରାଯାଇଛି ା ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଚିତ୍ତରଞ୍ଜନ ସିଂ ଏବେ ବି ଫେରାର ଥିବା ପୋଲିସ କହିଛି।
ପୋଲିସ ସୂଚନା ଅନୁଯାୟୀ, ୨୦୧୬ରେ ଉଦଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମିକ ଚିତ୍ତରଞ୍ଜନ ବିବାହର ପ୍ରତିଶ୍ରୁତି ଦେଇ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ନେଇ ଯାଇଥିଲେ। ସେଠାରେ ସେ ନାବାଳିକାଙ୍କୁୁ ଏକ ଭଡ଼ା ଘରେ ରଖି ଦୁଇ ସହଯୋଗୀଙ୍କ ସହିତ ମିଶି ୧୨ ଦିନ ଧରି ଗଣବଳାତ୍କାର କରିଥିଲେ ା ପରେ ନାବାଳିକାଙ୍କୁ ସାଙ୍ଗରେ ଧରି ଗାଁକୁ ଫେରିଥିବା ବେଳେ ଉଦଳା ବସଷ୍ଟାଣ୍ଡ ନିକଟରୁ ନାବାଳିକା ଜଣକ ସେଠାରୁ ଲୁଚି ଘରକୁ ପଳାଇଯାଇଥିଲେ। ଏ ନେଇ ୨୦୧୬ ଜୁଲାଇ ୧୨ ତାରିଖରେ ପୀଡିତା ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୧୩୨/୧୬) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୩ ଅଭିଯୁକ୍ତ ସେବେଠାରୁ ଫେରାର ଥିଲେ ା ଶନିବାର ରାତିରେ ଉଦଳା ଥାନା ସବଇନ୍ସପେକ୍ଟର ଅମ୍ବିକା ଦାସଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ନୀଳଗିରି ଥାନା ନରସିଂହପୁର ଗ୍ରାମରେ ଚଢାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ରବିବାର ବାରିପଦା କୋର୍ଟଚାଲାଣ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଚିତ୍ତରଞ୍ଜନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଉପଖଣ୍ଡ ପୋଲିସ୍‌ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର କହିଛନ୍ତି।