ନାବାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବ୍ରହ୍ମପୁର ଅଫିସ,୩୧ା୮-ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟବଜାର ଛକ ନିକଟ ଏକ ଘରୋଇ ହସ୍ପିଟାଲରେ ଜଣେ ନାବାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତ ମୃତ ନାବାଳକ ଜଣକ ହେଲେ କେ. ନାଗରାଜ ସେଠୀ। ଅବହେଳା ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ପୁଅର ମୃତ୍ୟୁ ଘଟିଥିବା ନାଗରାଜଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଖବରପାଇ ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ, ଏସଆଇ ସୂର୍ଯ୍ୟଚନ୍ଦ୍ର ପାଢ଼ୀ ଓ ଏସଆଇ ଜ୍ଞାନରଞ୍ଜନ ବେହେରା ଉକ୍ତ ହସ୍ପିଟାଲରେ ପହଞ୍ଚି ଉତ୍ତ୍ୟକ୍ତ ପରିବାର ଲୋକଙ୍କୁ ବୁଝାଶୁଝା କରିବା ସହ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ମୃତ ନବାଳକଙ୍କ ବାପା କେ.ମାଲେସ ସେଠୀଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୧୭୪/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଗେଟବଜାରର କେ.ମାଲେସଙ୍କ ପୁଅ ନାଗରାଜଙ୍କ ତଣ୍ଟିରେ କିଛି ସମସ୍ୟା ଦେଖାଦେବାରୁ ସେ ଖାଇବାରେ ଅସୁବିଧା ଅନୁଭବ କରୁଥିଲେ। ତାଙ୍କ ଚିକିତ୍ସା ପାଇଁ ଗତ ୫/୬ ଦିନ ତଳେ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ତଣ୍ଟିରେ ଅସ୍ତ୍ରୋପଚାର କରାଯିବାର ଥିଲା। ନାଗରାଜଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ଡାକ୍ତରମାନେ ଠିକ ଭାବେ ଚିକିତ୍ସା କରି ନ ଥିଲେ। ଯଦ୍ଦ୍ବାରା ପୁଅର ମୃତ୍ୟୁ ଘଟିଲା ବୋଲି ନାଗରାଜଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।