ନଳକୂପରୁ ବାହାରୁଛି ଲୁଣିପାଣି

କଣାସ, ୨୪ା୪ (ସ୍ବ.ପ୍ର.): ପୁରୀ ଜିଲାର ଚିଲିକା ଉପକୂଳରେ ଅବସ୍ଥିିତ କଣାସ ବ୍ଲକରେ ବର୍ଷସାରା ପାନୀୟଜଳ ସଙ୍କଟ ଲାଗି ରହିଥାଏ। କାରଣ ଏଠାରେ ଥିବା ନଳକୂପଗୁଡିକରୁ ଲୁଣିପାଣି ବାହାରିଥାଏ। ତାହାକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରିପାରନ୍ତି ନାହିଁ। ପ୍ରତିବର୍ଷ ଗ୍ରୀଷ୍ମଋତୁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥାଏ। ଏହାର ସମାଧାନ ପାଇଁ ଜିଲା ଓ ବ୍ଲକ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଥାଏ। ପ୍ରତ୍ୟେକ ବର୍ଷ ପ୍ରଶାସନ ପକ୍ଷରୁ କଣାସ ବ୍ଲକର ୨୮ ପଞ୍ଚାୟତର ସମସ୍ତ ଗ୍ରାମକୁ ଏପ୍ରିଲ ୧ରୁ ଜୁନ ୩୦ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହୋଇଥାଏ। ଚଳିତବର୍ଷ ୨୦ଦିନ ବିତିଯାଇଥିଲେ ହେଁ ଜଳ ଯୋଗାଣ କାର୍ଯ୍ୟକ୍ରମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ତେଣୁ ଗଁାଗୁଡିକରେ ଲୋକେ ପାନୀୟ ଜଳ ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, ବ୍ଲକ ଅଞ୍ଚଳର ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ୨୮ ପଞ୍ଚାୟତର ବିଭିନ୍ନ ଗ୍ରାମରେ ୯୦୦ ନଳକୂପ ଓ ୬୦ ଗଭୀର କୂପ ଖୋଳା ଯାଇଥିଲା। ସେଥିମଧ୍ୟରୁ ଅଧିକାଂଶ ନଳକୂପରୁ ଲୁଣି ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଅନୁପଯୋଗୀ ସହ ଅଚଳ ହୋଇପଡିଛି। ଭୂତଳ ଜଳପତ୍ତନ ହ୍ରାସ ଯୋଗୁ ବହୁ ଗଭୀର ନଳକୂପରୁ ଜଳ ଶୁଖି ଯାଇଛି। ନଳକୂପଗୁଡିକରୁ ବାଲି ଓ ପଙ୍କ ମିଶ୍ରିତ ପାଣି ବାହାରୁଥିବାରୁ ତାହା ପାନୀୟ ଜଳ ଅନୁପଯୋଗୀ ହୋଇପଡିଛି। ତେଣୁ ଲୋକମାନଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ସାମନ୍ତରାୟଙ୍କୁ ପଚାରିବାରେ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଶୀଘ୍ର ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ କରିବେ।