ନବ ଦମ୍ପତିଙ୍କୁ ପିଆଜ ଭେଟି

ଅନୁଗୋଳ ଅଫିସ, ୧୦।୧୨

ଚଢ଼ା ଦରରେ ବିକ୍ରି ହେଉଥିବା ପିଆଜ ଏବେ ଉପହାର ପାଲଟିଯାଇଛି। ମୂଲ ଆକାଶ ଛୁଆଁ ହୋଇଥିବାରୁ ଏହାକୁ ଲୋକେ ବିବାହ ଆଦି ଉତ୍ସବରେ ଭେଟି ସ୍ବରୂପ ଦେବାକୁ ପସନ୍ଦ କଲେଣି। ରବିବାର ଘଟିଥିବା ଏପରି ଏକ ଘଟଣା ଅନୁଗୋଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ଆଦିମାତା ନଗରର ସନ୍ତୋଷ ମହାପାତ୍ରଙ୍କ ରବିବାର ବିବାହ ଭୋଜି ଥିଲା। ଏହି ଉତ୍ସବକୁ ଆସିଥିବା ତାଙ୍କ ବନ୍ଧୁମାନେ ନବଦମ୍ପତିଙ୍କୁ ପିଆଜ ଭେଟି ଦେଇଥିଲେ। ସନ୍ତୋଷଙ୍କ ସ୍କୁଲ ସାଙ୍ଗ ଜ୍ୟୋତିପ୍ରକାଶ ମିଶ୍ର, ବିଜୟ କୁମାର ପୃଷ୍ଟି ଓ ରାଜକୁମାର ଗୁପ୍ତା ପିଆଜକୁ ସୁନ୍ଦର ଭାବେ ପ୍ୟାକିଂ କରି ତାହା ଉପରେ ସ୍କୁଲ ନାମ ଲେଖି ଉପହାର ଆକାରରେ ପ୍ରଦାନ କରିବା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବନ୍ଧୁମାନଙ୍କ ଏହି ନିଆରା ଉପହାରକୁ ନେଇ ସନ୍ତୋଷ ବେଶ୍‌ ଖୁସି ବ୍ୟକ୍ତ କରିଥିବା ବେଳେ ଅନ୍ୟମାନେ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି। ପୂର୍ବରୁ ବିବାହ ଉତ୍ସବରେ କିଏ ଗଛ ଦେଇ ତ କିଏ ପୁସ୍ତକ, ହେଲମେଟ ଦେଇ ସଚେତନତାର ବାର୍ତ୍ତା ବାଣ୍ଟିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ପିଆଜ ଉପହାର ଦିଆଯିବା ସହରରେ ଆଲୋଚନାର ଏକ ପ୍ରସଙ୍ଗ ପାଲଟିଯାଇଛି।