ବିଜେପୁର ଉପନିର୍ବାଚନ: ନବୀନଙ୍କୁ ଟପିଲେ ରୀତା

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦- ଚଳିତ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ସୃଷ୍ଟି ଦିଗରେ ଅଗ୍ରସର ହେଉଛନ୍ତି। ଏପରିକି ଗତ ସାଧାରଣ ନିର୍ବାଚନରେ ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇ ଯେଉଁ ବ୍ୟବଧାନରେ ଜିତିଥିଲେ, ରୀତା ଏଥର ଭୋଟ ଗଣତିର ୧୨ ରାଉଣ୍ଡରୁ ତାହା ଅତିକ୍ରମ କରି ସାରିଲେଣି। ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସନତ ଗଡତିଆଙ୍କଠାରୁ ୫୭ହଜାର ୧୨୨ ଭୋଟ ବ୍ୟବଧାନରେ ଜିତିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ୧ଲକ୍ଷ ୧୦ହଜାର ୩୦୮ ମିଳିଥିବା ବେଳେ ସନତଙ୍କୁ ୫୩ହଜାର ୪୮୨ ଖଣ୍ଡ ଭୋଟ ମିଳିଥିଲା । ହେଲେ ଏଥର ଭୋଟ ଗଣତିର ୧୨ ରାଉଣ୍ଡରୁ ରୀତା ଭାଜପା ପ୍ରାର୍ଥୀ ସନତଙ୍କଠାରୁ ୫୯ହଜାର ୬୬୬ ଭୋଟରେ ଆଗୁଆ ରହି ସେହି ବ୍ୟବଧାନ ରେକର୍ଡକୁ ଭାଙ୍ଗି ସାରିଛନ୍ତି ଏବଂ ଏକ ନୂତନ ରେକର୍‌ ସୃଷ୍ଟି ଦିଗରେ ଅଗ୍ରସର ହେବାକୁ ଯାଉଛନ୍ତି । ପଦ୍ମପୁର ଆରଏମସି ଗୋଦାମ ପରିସରରେ ଚାଲିଥିବା ଗଣତିର ୧୬ ରାଉଣ୍ଡ ସୁଦ୍ଧା ବିଜେଡିର ରୀତା ସାହୁ ୮୦ହଜାର ୨୭୦ ଭୋଟରେ ଆଗୁଆ ଅଛନ୍ତି।ରୀତାଙ୍କୁ ମୋଟ ୧ଲକ୍ଷ ୧୦ ହଜାର ୮୫ ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ସନତ ଗଡତିଆଙ୍କୁ ୨୯ହଜାର ୮୧୫ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲ୍ଲିପ ପଣ୍ଡା ୪୬୦୮, ହିନ୍ଦୁ ମହାସଭାର ଅଶୋକ ମିତ୍ତଲ ୯୪୨, ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ୭୬୭ ଖଣ୍ଡ ଭୋଟ ପାଇଥିଲାବେଳେ ନୋଟାରେ ୧୬୧଼୮ ଖଣ୍ଡ ଭୋଟ ପଡିଛି। ଏପର୍ଯ୍ୟନ୍ତ ୧ଲକ୍ଷ ୪୭ହଜାର ୮୩୫ ଖଣ୍ଡ ଭୋଟ ଗଣତି ସରିଛି।