ନବନିର୍ମାଣ କୃଷକ ସଂଗଠନ ସମାବେଶ

ଦଶପଲ୍ଲା, ୫ା୧୦(ଡି.ଏନ୍‌.ଏ.): ଦଶପଲ୍ଲା ବ୍ଲକ ନବନିର୍ମାଣ କୃଷକ ସଂଗଠନର ସାଙ୍ଗଠନିକ ବୈଠକ ଶୁକ୍ରବାର ସ୍ଥାନୀୟ ସ୍ବପ୍ନେଶ୍ୱର ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଂଯୋଜକ ରବିନାରାୟଣ ସେଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ରାଜ୍ୟ କୃଷକ ନେତା ତଥା ସଂଯୋଜକ ଶେଷଦେବ ନନ୍ଦ ମୁଖ୍ୟଅତିଥି ରୂପେ ଯୋଗଦେଇ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିଲେ ହେଁ କୃଷକମାନେ ଏଠାରେ ଚରମ ଅବହେଳାର ଶିକାର ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ। ଏହାସହ ଆସନ୍ତା ନଭେମ୍ବର ୬ତାରିଖରେ ଭୁବନେଶ୍ୱରଠାରେ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନରେ ବହୁ ସଂଖ୍ୟାରେ କୃଷକ ଯୋଗଦେବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂଯୋଜକ ମହେଶ୍ୱର ଜେନା, ସହସମ୍ପାଦକ ମମତା ନାଥ, ରଣଜିତ ଦଳବେହେରା, ପ୍ରସନ୍ନ ପ୍ରଧାନଙ୍କ ସମେତ ସ୍ଥାନୀୟ କୃଷକ ନେତା ଗଙ୍ଗାଧର ବିଶ୍ୱାଳ, ଗୌରାଙ୍ଗ ମଳିକ, ମାନସ ବେହେରା, ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଚାଷୀଙ୍କ ସମସ୍ୟା ଉପରେ ଉଦ୍‌ବୋଧନ ଦେଇଥିଲେ। ଶେଷରେ ବ୍ଲକ ସଂଯୋଜକ ସେଠୀ ଧନ୍ୟବାଦ ଦେଇଥିଲେ।