Categories: ରାଜ୍ୟ

ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ଡାକ୍ତର: ଫିଙ୍ଗିବାକୁ ନେବା ବେଳେ ଚେତା ଆସିଲା

ଅନୁଗୋଳ ଅଫିସ, ୨୩।୫:  ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ନର୍ସିଂହୋମ ଡାକ୍ତର। ଏତିକିରେ ସରି ନ ଥିଲା ପରିବାରର ଦୁଃଖ। ପ୍ରସୂତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲା। ସେପଟେ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ପୁତ୍ରକୁ ଏକ ବସ୍ତାରେ ପୂରାଇ ଫିଙ୍ଗିବାକୁ ନେଇଥିଲେ ବାପା। ହେଲେ ହଠାତ୍‌ ଶିଶୁଟି ବସ୍ତା ଭିତରେ ଗୋଡ ହାତ ହଲାଇବାରୁ ସେ ଜୀବିତ ଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ଅନୁଗୋଳ ଜିଲା ମୁଖ୍ୟ ପରିସରରେ ବୁଧବାର ଏହି ଘଟଣା ସହରରେ ଆଲୋଚନାର ବିଷୟ ପାଲଟିଯାଇଛି।
ସୂଚନା ମୁତାବକ, ଅନୁଗୋଳ ଥାନା କାଙ୍ଗୁଲା ଅଞ୍ଚଳର ଜଣେ ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଜିଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ମାତ୍ର ୭ ମାସର ଗର୍ଭବତୀ ହୋଇଥିଲେ ମଧ୍ୟ ଏକ ଶିଶୁପୁତ୍ରକୁ ଉକ୍ତ ନର୍ସିଂହୋମ୍‌ରେ ଜନ୍ମ ଦେଇଥିଲେ। ପରେ ଉଭୟ ମା’ ଓ ଶିଶୁଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିବା ସହ ପ୍ରସୂତିଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପରେ ନବଜାତକଙ୍କ ବାପା ଶିଶୁଟିକୁ ଫିଙ୍ଗିବା ପାଇଁ ଏକ ଜରି ବସ୍ତାରେ ଭର୍ତ୍ତି କରି ବାଇକ୍‌ରେ ଝୁଲାଇ ଦେଇଥିଲେ। କିଛି ସମୟରେ ସେଠାକୁ ଆସିବାରେ ବ୍ୟାଗ ହଲୁଥିବା ଦେଖିବାକୁ ମିଳିଥିଲା। ବସ୍ତା ଖୋଲିବାରେ ଶିଶୁଟି ଜୀବିତ ଥିବା ଜଣାପଡିଥିଲା। ଏହା ପରେ ସଙ୍ଗେ ସଙ୍ଗେ ନବଜାତକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁଟି ଜୀବିତ ଥିବା ଜାଣି ପରିବାରରେ ଖୁସି ଖେଳିଯାଇଛି। ତେବେ ଖବରଲେଖା ହେବା ସୁଦ୍ଧା ନବଜାତକର ଅବସ୍ଥା ଗୁରୁତର ରହିଛି।