ନନ୍ଦନକାନନରେ କଳାବାଘ ବୁଲିବା ପ୍ରଚାର ଗୁଜବ

ବାରଙ୍ଗ,୧୬।୬(ଡି.ଏନ୍‌.ଏ.)- କରୋନା ଲାଗି ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବନ୍ଦ ରହିଛି। ଶୂନଶାନ ହୋଇଯାଇଛି ନନ୍ଦନକାନନ ରାସ୍ତା। ନା ଆସୁଛନ୍ତି ପର୍ଯ୍ୟଟକ ନା ଶୁଭୁଛି ସେମାନଙ୍କ ଗହଳି। ଏହି ନିସ୍ତବ୍ଧ ମଧ୍ୟରେ ସୋମବାର ନନ୍ଦନକାନନ ପୁଣି ଚର୍ଚ୍ଚାକୁ ଆସିଛି। ସକାଳେ ୯ନଂ ଫାଟକ ପାଖରେ ଏକ କଳାବାଘ ବୁଲୁଥିବାର ପ୍ରଚାର ହୋଇଥିଲା। ଯାହାକୁ ନେଇ ବ୍ୟଥିତ ହୋଇପଡ଼ିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ। ପରେ ପରିସର ବାଘ ଏନକ୍ଲୋଜରଗୁଡିକ ସହ ୯ନଂ. ଫାଟକ ପାଖକୁ ଯାଇ ତର୍ଜମା କରିବାପରେ ଏହା ଗୁଜବ ବୋଲି ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ସୋମବାର ସକାଳେ ପରିମଳ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ୯ନଂ. ଫାଟକ ପାଖରେ ରାସ୍ତା ସଫା କରୁଥିବାବେଳେ ଏକ କଳାରଙ୍ଗର ବାଘ ଭଳି ଏକ ପଶୁ ବୁଲୁଥିବାର ଦେଖିବାକୁ ପାଇଥିଲେ। ଏ ବିଷୟରେ ସେ କାର୍ଯ୍ୟାଳୟକୁ ଆସି ଜଣାଇବାପରେ ସମସ୍ତଙ୍କ ଚିନ୍ତା ବଢ଼ିଥିଲା। ଖବରପାଇ ଜନ୍ତୁ ବିଭାଗର ପଦାଧିକାରୀମାନେ କେତେଜଣ କର୍ମଚାରୀଙ୍କୁ ସାଙ୍ଗରେ ଧରି ପ୍ରଥମେ ବାଘ ଏନକ୍ଲୋଜରଗୁଡିକୁ ତନ୍ନତନ୍ନ କରି ଅନୁଧ୍ୟାନ କରିବାପରେ ସମସ୍ତ ବାଘ ଆବଦ୍ଧ ଥିବାର ଜାଣିବାକୁ ପାଇଥିଲେ। ତେବେ ଗତ ୨୦୧୩ ମସିହାରେ ସୁଦୂର ସାତକୋଶିଆରୁ ଏକ ଜଙ୍ଗଲୀ ବାଘ ନନ୍ଦନକାନନକୁ ଚାଲିଆସିଥିବାର ନଜିର ରହିଥିବାବେଳେ ଏହି ଗୁଜବ କେତେଦୂର ଠିକ ତାହା ସମୟ ହିଁ କହିବ ବୋଲି ଅନୁମାନ କରାଯାଉଛି। ଏହା ଏକ ଗୁଜବ ,ଏଥିରେ ସତ୍ୟତା ନାହିଁ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।