ନଦୀବନ୍ଧ କାଟିଦେଲେ କାଠ ମାଫିଆ :ଜଳସମ୍ପଦ ବିଭାଗ ପକ୍ଷରୁ ଥାନାରେ ଏତଲା

ବରୀ, ୨୬।୨ (ସ୍ବ.ପ୍ର.): ବରୀ ଥାନା ଅଞ୍ଚଳରେ ଏବେ କାଠ ମାଫିଆ ବେଶ୍‌ ସକ୍ରିୟ ହୋଇଛନ୍ତି। ଅନେକ ସମୟରେ କାଠ ଚୋରା ଚାଲାଣ ହେଉଥିବା ବେଳେ କାଠ ନେବା ପାଇଁ କେତେଜଣ ଅସାଧୁ ବ୍ୟବସାୟୀ ନଦୀବନ୍ଧ କାଟି ଦେଇଥିବା ନେଇ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ବେହେରା ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ବାଲିଆପାଳସ୍ଥିତ ଦୁଧେଇ ନଦୀକୁ ସୁରକ୍ଷା ଦେବାପାଇଁ କରଞ୍ଜ ଘାଇ ନଦୀ ବନ୍ଧ ନିର୍ମାଣ କରାଯାଇଛି। ତେବେ ଉକ୍ତ ବନ୍ଧ ନିକଟରେ ଥିବା ଏକ ବିରାଟକାୟ ଗଛକୁ କାଟି ନେବା ସହିତ କାଠଗଡ଼ ବୋହି ନେବା ପାଇଁ ମାଫିଆମାନେ ବନ୍ଧକୁ କାଟି ଦେଇଛନ୍ତି। ଜଳ ସମ୍ପଦ ବିଭାଗ ଅଧୀନରେ ଏହି ବନ୍ଧ ଥିବାରୁ କନିଷ୍ଠ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଦୈନିକ ବ୍ଲକ ଅଞ୍ଚଳରୁ ବହୁ ଗଛ କଟା ଯାଉଥିବାରୁ ବରୀ ଅଞ୍ଚଳ ବୃକ୍ଷଶୂନ୍ୟ ହୋଇଯିବାକୁ ବସିଛି। ଏହି କାଠ ମାଫିଆମାନଙ୍କ ସହିତ ସ୍ଥାନୀୟ ପୋଲିସ ଓ ରାଜନେତାଙ୍କ ସମ୍ପୃକ୍ତି ରହୁଥିବାରୁ ସେମାନେ ବେଧଡ଼କ କାଠ ଚୋରା ଚାଲାଣ କରିପାରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା କଡ଼, ସରକାରୀ ଉଦ୍ୟାନ ଆଦି ସ୍ଥାନରେ ଥିବା ଗଛକୁ ମଧ୍ୟ କାଟି ନିଆଯାଉଛି। ଏଥିସହ ମାଫିଆମାନେ ଗଛ ଗଣ୍ଡିକୁ ବୋହି ନେବାପାଇଁ ନମ୍ବର ବିହୀନ ଟ୍ରାକ୍ଟର, ମିନିଟ୍ରକ୍‌, ଠେଲାଗାଡି ଆଦି ବ୍ୟବହାର କରୁଥିବା ଦେଖାଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ୍‌ ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।