ନଗଡ଼ା ହେବ ଇକୋ ଟ୍ୟୁରିଜମ: ଶକ୍ତିମନ୍ତ୍ରୀ

କାଳିଆପାଣି,୧୪ା୧୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ ନଗଡାକୁ ଇକୋ ଟ୍ୟୁରିଜମ ବା ପରିବେଶ ପର୍ଯ୍ୟଟନଭାବେ ପରିଣତ କରିବାକୁ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି। ଶୁକ୍ରବାର ମନ୍ତ୍ରୀ ମିଶ୍ର ନଗଡା ଗସ୍ତ କରି ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ। ଏହାବାଦ ନଗଡା ଜନଜାତି ଜୁଆଙ୍ଗ ପରିବାର କିପରି ସବୁଦିନ ରୋଜଗାରକ୍ଷମ ହୋଇପାରିବେ ସେନେଇ ଆଲୋଚନା କରିଥିଲେ। ଏହାସହ ରାସ୍ତା, ପାନୀୟ ଜଳ ପ୍ରକଳ୍ପ, ଶିକ୍ଷା, ବିଦ୍ୟୁତ, ବାସଗୃହ, ଚାଷ ଆଦି କାର୍ଯ୍ୟର ଅଗ୍ରଗତି ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ତଳ ନଗଡ଼ାଠାରେ ଜିଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ନଗଡାବାସୀଙ୍କ ସହ ଏକ ସଭା ହୋଇଥିଲା। ସଭାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଥିଲେ। ସର୍ବପ୍ରଥମେ ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତାର ମରାମତି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଗୁହିଆଶାଳ, ତୁମୁଣୀକୁ ରାସ୍ତା ନିର୍ମାଣ ପାଇଁ କାଗଜପତ୍ର କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାବାଦ ସିଡ଼ିଏମଓ ଅରୁଣ କୁମାର ପାତ୍ରଙ୍କୁ ଆଗାମୀ ଦିନରେ ନଗଡ଼ା -କାଳିଆପାଣି ମଝିରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ, ଭାରପ୍ରାପ୍ତ ଜିଲାପାଳ ମିହିରପ୍ରସାଦ ମହାନ୍ତି, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଡିଏଫଓ ସୁଦର୍ଶନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।