ନକଲି ସାର୍ଟିଫିକେଟ ଦେଇ ଅଙ୍ଗନଓ୍ବାଡି ସହାୟିକା ବହିଷ୍କୃତ

ଧାମନଗର, ୪।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କାଶିମପୁର(୧) ଅଙ୍ଗନଓ୍ବାଡି କେନ୍ଦ୍ରର ସହାୟିକା ବିମଳା ଦାସଙ୍କୁ ନକଲି ସାର୍ଟଫିକେଟ ଦେଇ ଚାକିରି ଆବେଦନ କରିଥିବାରୁ ବହିଷ୍କୃତ କରାଯାଇଛି। ଏଥିସହ ଏ ନେଇ ଅଭିଯୋଗ ହେବା ପରେ ଧାମନଗର ଥାନାରେ ଏକ ମାମଲା(ନଂ.୨୬୪/୧୯) ରୁଜୁ ହୋଇଛି। ସିଡିପିଓ ନମିତା ଦାସଙ୍କ ସୂଚନା ଅନୁଯାୟୀ, ଉକ୍ତ କେନ୍ଦ୍ରରେ ଅବସ୍ଥାପିତ ଅଙ୍ଗନଓ୍ବାଡି କର୍ମୀଙ୍କର ସୁପରଭାଇଜର ପଦବୀକୁ ପଦୋନ୍ନତି ହେବା ପରେ ଉକ୍ତ ପଦବୀ ଖାଲି ପଡ଼ିଥିଲା। ବିଜ୍ଞାପନ ଜରିଆରେ ଖାଲି ପଦବୀ ପାଇଁ କେତେଜଣ ଆବେଦନକାରୀ ଦରଖାସ୍ତ କରିଥିଲେ। ଦରଖାସ୍ତ ଯାଞ୍ଚ ପରେ ଆବେଦନକାରୀଙ୍କ ଗ୍ରାମକୁ ତଲବ ପାଇଁ ସୂଚନା ଦିଆଯାଇଥିଲା। କେନ୍ଦ୍ରର ସହାୟିକା ଦାସ ମଧ୍ୟ କର୍ମୀ ପଦବୀ ଲାଗି ଦରଖାସ୍ତ କରିଥିଲେ। ସେ ମାଟ୍ରିକ ପାସ୍‌ କରିଥିବା ଏକ ନକଲି ସାର୍ଟିଫିକେଟ ଦେଇଥିଲେ। ଯାଞ୍ଚ ସମୟରେ ସହାୟିକାଙ୍କ ସାର୍ଟିଫିକେଟ ନକଲି ବୋଲି ସନ୍ଦେହ ହେବା ସହିତ ଅଭିଯୋଗ ପରେ ତାଙ୍କ ସାର୍ଟିଫିକେଟକୁ ଯାଞ୍ଚ ପାଇଁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେ ଦୁଇଥର ବୋର୍ଡକୁ ଯାଇ ସାର୍ଟିଫିକେଟ ନକଲି ବୋଲି ରିପୋର୍ଟ ବାହାର କରିଥିଲେ। ଏହାପରେ ଉପଜିଲାପ।ଳଙ୍କ ନିର୍ଦ୍ଦେଶକ୍ରମେ ବିମଳାଙ୍କୁ ସହାୟିକା ପଦବୀରୁ ବହିଷ୍କୃତ କରାଯାଇଛି। ସିଡିପିଓଙ୍କ ଅଭିଯୋଗ କ୍ରମେ ଧାମନଗର ପୋଲିସ ବୁଧବାର ଘଟଣାର ତଦନ୍ତ ଆରମ୍ଭ କରିଛି।