ନକଲି ମଦ କାରବାର ବନ୍ଦ ଦାବି

ଆଳି, ୨୬।୪ (ଡି.ଏନ୍‌.ଏ.)-କରୋନା ବିଶ୍ୱବ୍ୟାପୀ ମହାମାରୀ ରୂପ ନେଇଥିବା ବେଳେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଦେଶସାରା ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାର ସୁଯୋଗ ନେଇ ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ଅସାଧୁ ବ୍ୟବସାୟୀମାନେ ଚୋରା କାରବାର ଆରମ୍ଭ କରି ଦେଇଛନ୍ତି। ଦୁଇ ବ୍ଲକରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ବେଳେ ଅନେକ ସ୍ଥାନରେ ନକଲି ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଆଳି ଓ ରାଜକନିକା ବ୍ଲକ ଅଧୀନରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ଦୋକାନ ବନ୍ଦ କରିଥିଲେ ବି ସେମାନଙ୍କର ସମ୍ପର୍କ ଥିବା ଖୁଚୁରା ବେପାରୀଙ୍କୁ ଅଧିକ ଦରରେ ମଦ ବିକ୍ରି କରୁଛନ୍ତି। ଗତ ମାର୍ଚ୍ଚ ୨୧ ତାରିଖରେ ସମସ୍ତ ମଦ ଦୋକାନର ଷ୍ଟକ ଯାଞ୍ଚ କରାଯାଇ ସିଲ କରାଯାଇଛି। ସିଲ କରାଯିବା ପରେ ଏତେ ପରିମାଣର ମଦ କେଉଁଠୁ ଆସୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାଛଡ଼ା ରାଜକନିକାରେ ପୂର୍ବରୁ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ମହିଳାଙ୍କୁ ଗୁଳିମାଡ଼ ଘଟଣାରେ ଜଣେ ମଦ ମାଫିଆ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ବୋଲି ବିଧାୟକ ଶର୍ମା ଅଭିଯୋଗ କରିଛନ୍ତି। ଏହି ଚୋରା ଓ ନକଲି ମଦ କାରବାରକୁ ରୋକା ନ ଗଲେ କଟକରେ ହୋଇଥିବା ମଦ ମୃତ୍ୟୁ ଘଟଣାର ପୁନରାବୃତ୍ତିକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି। ଏ ଦିଗରେ ଅବକାରୀ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବାକୁ ପ୍ରେସ ବିବୃତି ଯୋଗେ ପୂର୍ବତନ ବିଧାୟକ ଶର୍ମାଙ୍କ ସହ ଆଳି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ରାଜମୋହନ ସ୍ବାଇଁ, ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ଏବଂ ବରିଷ୍ଠ କଂଗ୍ରେସ କର୍ମୀ ନକୁଳ ପରିଡ଼ା ଦାବି ଜଣାଇଛନ୍ତି।