ନକଲି ବିଦେଶୀ ମଦ କାରଖାନା ଠାବ

ଭଦ୍ରକ ଅଫିସ/ତିହିଡ଼ି,୩୦।୧୦(ଡି.ଏନ୍‌.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସିନ୍ଦୋଳ ଗ୍ରାମରେ ସୋମବାର ଅବକାରୀ ବିଭାଗ ପକ୍ଷରୁ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରାଯାଇଛି। ଚଢାଉ ବେଳେ କାରଖାନାରୁ ଲକ୍ଷାଧିକ ଟଙ୍କାର ନକଲି ମଦ, ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ, ମଦ ତିଆରି ସରଞ୍ଜାମ, ଖାଲି କାଚ, ରଙ୍ଗ, ସ୍ପିରିଟ୍‌ ଆଦି ଜବତ ହୋଇଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଏକ ମକଦ୍ଦମା (ନଂ. ୭୪/୧୯) ରୁଜୁ କରାଯାଇଛି।
ଗିରଫ ମହିଳାଙ୍କ ନଁା ଗୀତାଞ୍ଜଳି ଦାସ। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି କାରଖାନା ଘର ବାଡିପଟେ ୨ ମାସ ହେବ ଚାଲିଥିଲା ବୋଲି ଅବକାରୀ ଇନ୍ସପେକ୍ଟର ଧନେଶ୍ୱର ବରାଡ଼ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଢାଉରେ ବରାଡ଼ଙ୍କ ସମେତ ଭଦ୍ରକ ସଦର ଅବକାରୀ ଅଧିକାରୀ ସଞ୍ଜୟ କୁମାର ପଣ୍ଡା, ଭ୍ରାମ୍ୟମାଣ ଅବକାରୀ ଅଧିକାରୀ ସ୍ପନ୍ଦନ କୁମାର ମହାନ୍ତି ଙ୍କ ସମେତ ତାଙ୍କ ଟିମ୍‌ ସାମିଲ ଥିଲେ। ଏହି ନକଲି ମଦକାରଖାନା ନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ତଦନୁଯାୟୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ କାରଖାନା ଉପରେ ଚଢ଼ାଉ କରାଯାଇଥିବା ଜଣାପଡିଛି।