Categories: ଗଞ୍ଜାମ

ଧୂପକାଠି ନିଆଁରୁ ଜଳିଗଲା ପିବିସି ପାଇପ

ବ୍ରହ୍ମପୁର ଅଫିସ,୨୦। ୭: ଗଞ୍ଜାମ ଜିଲା ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଶଶିଭୂଷଣ ମହିଳା ମହାବିଦ୍ୟଳୟ ପାର୍ଶ୍ୱରେ ଥିବା ପୁରୁଣା ଖ୍ରୀଷ୍ଟିୟାନ ସାହିରେ ରଖାଯାଇଥିବା ପିବିସି ପାଇପ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସହକାରୀ ଅଗ୍ନିଶମ ଅଧିକାରୀ(ଏଏଫଓ) ସନାତନ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଉକ୍ତ ସାହିରେ ରହୁଥିବା ବ୍ୟବସାୟୀ ବ୍ରହ୍ମାନନ୍ଦ ରାଉତଙ୍କ ଘର ସମ୍ମୁଖରେ ୧୫୦ଟି ୩୦ ଫୁଟ ବିଶିଷ୍ଟ ପିବିସି ପାଇପ ରଖିଥିଲେ । ତେବେ ରାତିରେ ସେଥିରେ ନିଆଁ ଲାଗିଯାଇଥିବା ସେ ଦେଖିବାକୁ ପାଇଥିଲେ । ଏ ନେଇ ସେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପାଇପ ନିକଟରେ ଥିବା ଏକ ତୁଳସୀ ଚଉରାରେ ଲାଗିଥିବା ଧୂପକାଠି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଏଏଫଓ ମହାପାତ୍ର କହିଛନ୍ତି।