ଧାରଣା ସ୍ଥଳରେ ବିଡିଓ-ବିଧାୟକ ବାହିନୀପତି କଥା କଟାକଟି

ପାପଡ଼ାହାଣ୍ଡି,୫।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ୧୬ଦଫା ଦାବି ନେଇ ବୁଧବାରଠାରୁ କଂଗ୍ରେସ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେଇଥିଲା। ଗୁରୁବାର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସେଠାରେ ପହଞ୍ଚତ୍ଥିଲେ। ସେ କଂଗ୍ରେସ ନେତା ଓ କର୍ମଚାରୀମାନଙ୍କ ସହ ଧାରଣା ଦେଇଥିଲେ। ଏହି ସମୟରେ ବିଡିଓ ରଞ୍ଜିତା ମଲ୍ଲିକ କାର୍ଯ୍ୟାଳୟରୁ ବାହାରକୁ ଯାଉଥିବାବେଳେ ବିଧାୟକ ବାହିନୀପତି ଅଟକାଇ ତାଙ୍କୁ ଦୁର୍ନୀତିଗ୍ରସ୍ତ ଏବଂ ତାଙ୍କ ସମୟରେ ସବୁ ଦୁର୍ନୀତି ହୋଇଛି ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଛି।
ସୂଚନା ମୁତାବକ ୧୬ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ବୁଧବାର ବ୍ଲକ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା। ବ୍ଲକବାସୀଙ୍କ ବିିଭିନ୍ନ ସମସ୍ୟା ନେଇ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝି, ପୂର୍ବତନ ବିଧାୟକ ସଦନ ନାୟକ, ଦ୍ୱାରିକା ମହାପାତ୍ର, ଶଶୀମୋହନ ଶର୍ମା, ରବୀନ୍ଦ୍ର ପ୍ରଧାନ, ଶେଖ ଅଜୀର ହୁସେନଙ୍କ ସହ ବହୁ କର୍ମୀ ସାମିଲ ହୋଇଥିଲେ। ଗୁରୁବାର ଧାରଣାସ୍ଥଳରେ ଭୁଜବଳ ମାଝି, ଜିଲା ପରିଷଦ ସଭ୍ୟା ଲିପିକା ମାଝି, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ। ଏହି ସମୟରେ ବିଡିଓ ବାହାରକୁ ଆସିଥିଲେ। ସୁଗାର ପେସେଣ୍ଟ, ଘରକୁ ଯାଇ ଜଲ୍‌ଦି ଖାଇବାର ଅଛି ବୋଲି ବିଡିଓ କହିବା ପରେ ମଧ୍ୟ ବାହିନୀପତି ତାଙ୍କୁ ଯିବାକୁ ଦେଇ ନ ଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଖବରପାଇ ଘଟଣାସ୍ଥଳରେ ପାପଡ଼ାହାଣ୍ଡି ପୋଲିସ, ନବରଙ୍ଗପୁର ଉପଜିଲାପାଳ ଭାସ୍କର ରଇତ, ତହସିଲଦାର ଯୋଗେଶ୍ୱର ଭୋଇ ପ୍ରମୁଖ ପହଞ୍ଚତ୍ଥିଲେ। କଂଗ୍ରେସ କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପଶି ଶୀଘ୍ର ଦାବି ପୂରଣ ଲାଗି ଜିଦ୍‌ ଧରିଥିଲେ। ଦାବି ଯଥାଶୀଘ୍ର ପୂରଣ ହେବ ବୋଲି ବିଡିଓ ପ୍ରତିଶ୍ରୁତି ଦେବାପରେ ଧାରଣା ହଟିଛି। ମାସକ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଧାରଣା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।