ଧାମରା ବନ୍ଦରରେ ବାଂଲାଦେଶର ଜାହାଜ: ଚାଇନା କର୍ମଚାରୀ ଅବତରଣକୁ ନେଇ ଗୁଜବ

ଚାନ୍ଦବାଲି,୨୧।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା ବନ୍ଦରରେ ବୁଧବାର ବାଂଲାଦେଶର ଦୁଇଟି ଜାହାଜ ଇସ୍ପାତ ନେବାକୁ ଲାଗିଛି। ଏହି ଦୁଇ ଜାହାଜରେ ଚାଇନା କର୍ମଚାରୀ ଧାମରା ବନ୍ଦରରେ ଅବତରଣକୁ ନେଇ ଗୁଜବ ପ୍ରକାଶ ପାଇଛି। ଚାଇନା ଜାହାଜର କର୍ମଚାରୀଙ୍କ ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ଗୁଜବକୁ ଅଧିକ ଖୋରାକ ଯୋଗାଇଛି। ଜାନୁୟାରୀ ୧୪ ପରେ ଚାଇନାରୁ ଆସିଥିବା ଲୋକଙ୍କଠାରେ କରୋନା ଭାଇରସ୍‌ ଥିବା ଆଶଙ୍କା ଥିବାବେଳେ ବାଂଲାଦେଶୀ ଜାହାଜର ୪୪ଜଣ ଚାଇନା କର୍ମଚାରୀଙ୍କୁ ନେଇ ଏପରି ମିଥ୍ୟା ଗୁଜବକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଚାଇନାରେ କରୋନା ଆତଙ୍କ ପରେ ଧାମରା ବନ୍ଦର ପକ୍ଷରୁ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ମାଲ ପରିବହନ ପାଇଁ ବାହାର ଦେଶର ଜାହାଜ ଧାମରା ବନ୍ଦର ଜେଟିରେ ଲାଗୁଥିଲେ ମଧ୍ୟ କର୍ମଚାରୀଙ୍କ ଅବତରଣ ଲାଗି ଏଠାରେ ଅନୁମତି ନାହିଁ। ଧାମରା ବନ୍ଦରକୁ ଆସୁଥିବା ଜାହାଜ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିୟମିତ ଖବର ପ୍ରଦାନ କରାଯାଉଛି। ଜାହାଜର କର୍ମଚାରୀଙ୍କୁ ବନ୍ଦରର ଡାକ୍ତର ମାସ୍କ ପିନ୍ଧି ବିନା ସ୍ପର୍ଶ (ଥର୍ମାଲ ସ୍କାନିଂ ସିଷ୍ଟମ)ରେ ଯାଞ୍ଚ କରିବା ସହ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହାର ରିପୋର୍ଟ ଜାହାଜ ଚଳାଚଳ(ଭାରତ ସରକାର) ଓ ବନ୍ଦର ନିର୍ଦ୍ଦେଶାଳୟ(ଓଡ଼ିଶା)କୁ ପ୍ରତିଦିନ ପ୍ରଦାନ କରାଯାଉଥିବା ବନ୍ଦର କର୍ମଚାରୀଙ୍କ ସୂତ୍ରରୁ ପ୍ରକାଶ। ବାଂଲାଦେଶର ଜାହାଜ ଦ୍ୱୟ ଇସ୍ପାତ ନେବାକୁ ଏଠାରେ ଲାଗିଛି। ଜାହାଜର ୨୨ଜଣ ଲେଖାଏ ମୋଟ ୪୪ଜଣ କର୍ମଚାରୀ ଚାଇନାର ଅଛନ୍ତି। ଧାମରା ବନ୍ଦରକୁ ଆସିବା ପୂର୍ବରୁ ସେମାନେ ବାଂଲାଦେଶର ଚିଟାଗଞ୍ଜ ବନ୍ଦରରେ ଅବତରଣ କରିଥିବାର ରିପୋର୍ଟ ରହିଛି। ସେମାନେ ଜାହାଜରେ କାମ କରିବା ଓ ଜଳପଥରେ ରହିବା କାରଣରୁ ଦୀର୍ଘଦିନ ହେବ ନିଜ ଦେଶକୁ ଯାଇନାହାନ୍ତି। ଫଳରେ ସେମାନେ କରୋନା ଆକ୍ରାନ୍ତ ହେବା ଆଶଙ୍କା ନାହିଁ ବୋଲି ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଧାମରା ବନ୍ଦରର ସୁରକ୍ଷା ବିଭାଗ ମୁଖ୍ୟ ସୁନୀଲ କୁମାର ଏଠାରେ କରୋନା ସଂକ୍ରମଣରୁ ସୁରକ୍ଷା ଲାଗି ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ଧାମରା ଥାନା, ଜିଲାପାଳ, ଏସ୍‌ପି ଓ ସିଡିଏମ୍‌ଓଙ୍କୁ ଅବଗତ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର କହିଛନ୍ତି, ଧାମରା ବନ୍ଦରରେ ଲାଗୁଥିବା ଜାହାଜ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ।