ଧାନ ବିଲରେ ଫୁଟିଲା ପଦ୍ମ

କଣାସ,୨୧ା୩ (ସ୍ବ.ପ୍ର.): ସମାଜ ଯେତିକି ଆଧୁନିକ ଆଡ଼କୁ ଗତି କରୁଛି ପାଣିପାଗର ପରିବର୍ତ୍ତନ ଯୋଗୁ ବେଳେବେଳେ ଅଜବ ଘଟଣାମାନ ଦେଖିବାକୁ ମିଳୁଛି। ଜଣେ ଚାଷୀଙ୍କ ଖରାଟିଆ ଧାନ ବିଲରେ ପଦ୍ମ ଫୁଲ ଫୁଟିଥିବାର ଦେଖାଯାଇଛି। ତାହା ବି ପୁଣି ଗୋଟିଏ ଦିନ ନୁହେଁ ପ୍ରତିଦିନ ପଦ୍ମ ଫୁଲ ଫୁଟୁଥିବାର ଚାଷୀ ଶରତ ଶ୍ରୀଚନ୍ଦନ କହିଛନ୍ତି। ଏହା ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ିଶାଗୋଦା ଥାନା ପରିସରଭୁକ୍ତ ନୂଆଗାଁ ଗ୍ରାମରେ ଦେଖାଯାଇଛି। ଏହି ଫୁଲ ତୋଳାହୋଇ ଗାଁ ଠାକୁର ରାସ ବିହାରୀ ଏବଂ ହନୁମାନଙ୍କଠାରେ ଲାଗିକରାଯାଇଛି। ନୂଆଗାଁ ଗ୍ରାମଠାରୁ ଲୁଣାନଦୀ ବନ୍ଦରେ କରମଳା ଯିବା ବାଟରେ ଉକ୍ତ ଧାନ ବିଲରେ ଦୈନିକ ପଦ୍ମଫୁଲ ଫୁଟୁଛି। ସାଧାରଣରେ ଯଦି ଧାନ ବିଲରେ ଘାସ ଉଠେ କୃଷକଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼େ ଘାସ ଉପାଡ଼ିଲା ପରେ କୃଷକକୁ ଶାନ୍ତି ମିଳେ। କିନ୍ତୁ ଶରତବାବୁଙ୍କ ଧାନ ବିଲରେ ପଦ୍ମ ଫୁଟୁଥିବାରୁ ଶରତବାବୁ ଓ ତାଙ୍କ ପରିବାର ମନରେ ଖୁସିର ଲହରି ଖେଳିଯାଇଛି।