Categories: ଗଞ୍ଜାମ

ଧାନ ବିକ୍ରିର ୪ ମାସ ବିତିଲା, ମିଳିନି ଟଙ୍କା

ଛତ୍ରପୁର,୧୮ା୫(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ଅନ୍ତର୍ଗତ ପଦାଦିଗି ଦାମୋଦରପଲ୍ଲୀ ସୋସାଇଟିରେ ଧାନ ବିକ୍ରି କରିବାର ୪ ମାସ ପରେ ବି ଚାଷୀ ଟଙ୍କା ପାଇନାହାନ୍ତି। ଧାନ ବିକ୍ରି କରିବାର ୨୪ ଘଣ୍ଟା ମଧ୍ୟରେ ଅନଲାଇନ୍‌ରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବା ନିୟମ ରହିଥିଲେ ମଧ୍ୟ ଚାଷୀ ସେମାନଙ୍କ ପ୍ରାପ୍ୟ ନ ପାଇ ବହୁ ହଇରାଣ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ସୋସାଇଟି ସମ୍ପାଦକ ଓ ଏମ୍‌ଆଇଙ୍କୁ ଚାଷୀ ଅବଗତ କରାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନି ା ତେଣୁ ସୋମବାର ଭାଜପା ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ଚାଷୀମାନେ ଛତ୍ରପୁର ଆସି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଧାନ ବିକି ଟଙ୍କା ପାଇ ନ ଥିବା ଚାଷୀଙ୍କ ତାଲିକା ଜିଲାପାଳଙ୍କୁ ଦିଆଯାଇଛି। ଏ ନେଇ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଚାଷୀମାନେ ଜିଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପକାରଙ୍କୁ ଭେଟି ସମସ୍ୟା ଜଣାଇଥିଲେ ା ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ୪୦ ଚାଷୀ ବିଳମ୍ବରେ ଟୋକନ୍‌ ପାଇଥିଲେ। ପଦାଦିଗି ଦାମୋଦରପଲ୍ଲୀ ସୋସାଇଟିରେ ସେମାନେ ଧାନ ବିକ୍ରି କରିଥିଲେ ମଧ୍ୟ ଟଙ୍କା ମିଳି ନ ଥିଲା। ଟାର୍ଗେଟ ସରିଯାଇଛି ଏବଂ ପୁନଃ ଟାର୍ଗେଟ ଆସିଲେ ଟଙ୍କା ମିଳିବ ବୋଲି ସୋସାଇଟି ସମ୍ପାଦକ କହିଥିଲେ ା ପରେ ଟାର୍ଗେଟ ଆସିଲା ବେଳକୁ ଟୋକନ୍‌ ଅବଧି ସରିଯାଇଥିଲା ା ପୁଣି ଟୋକନ୍‌ ଆସିଲେ ଟଙ୍କା ଆସିବ ବୋଲି କୁହାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଟଙ୍କା ମିଳି ନ ଥିବାରୁ ଦ୍ୟାନସାମନ୍ତରାଙ୍କ ସମେତ ଚାଷୀ ଗୌରାଙ୍ଗ ପାଣିଗ୍ରାହୀ, ଅଜିତ୍‌ ଚୌଧୁରୀ, ସୁଶାନ୍ତ ଚୌଧୁରୀ, ଜୟସେନ ପାଣିଗ୍ରାହୀ ପ୍ରମୁଖ ଜିଲାପାଳଙ୍କୁ ଭେଟିଥିଲେ।