ଧର୍ମେନ୍ଦ୍ରଙ୍କୁ ପୁଣି ପେଟ୍ରୋଲିୟମ ବିଭାଗ ଦାୟିତ୍ୱ; ପ୍ରତାପଙ୍କୁ ମିଳିଲା ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ

ନୂଆଦିଲ୍ଲୀ,୩୧।୫: ଚଳିତ ସାଧାରଣ ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ବିପୁଳ ବିଜୟ ସହ କେନ୍ଦ୍ରରେ ସରକାର ଗଢ଼ିଛି। ଗୁରୁବାର ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳ ଶପଥଗ୍ରହଣ କରିବା ପରେ ଶୁକ୍ରବାର ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଛି। ତେବେ ମୋଦିଙ୍କ ଦ୍ୱିତୀୟ ପାଳିରେ ପୁଣି ଥରେ କେନ୍ଦ୍ରମନ୍ତ୍ରୀ ହେବାର ସୁଯୋଗ ପାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁନର୍ବାର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ  ସହ ଇସ୍ପାତ ବିଭାଗ ମିଳିିଛି। ସେହିଭଳି ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ବାଲେଶ୍ୱର ଲୋକ ସଭା ଆସନରୁ ପ୍ରଥମ ଥର ଏମ୍‌ପି ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ  ବିଭାଗ ମିଳିଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ମୋଦି ସରକାରଙ୍କ ପ୍ରଥମ ପାଳିରେ ଧର୍ମେନ୍ଦ୍ର ପେଟ୍ରୋଲିୟମ, ଦକ୍ଷତା ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନିର୍ବାହ କରିଥିଲେ। ଉଜ୍ଜ୍ୱଳା ଯୋଜନାକୁ ସଫଳ କରିବାରେ ସେ ବଡ଼ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ କ୍ୟାବିନେଟ ପାହ୍ୟାକୁ ଯାଇଥିଲେ। ସେହିଭଳି ପ୍ରତାପ ଆର୍‌ଏସ୍‌ଏସ୍‌ ସହ ଜଡିତ ଥିବା ବେଳେ ନିଜର ସରଳ ଜୀବନଯାପନ ଶୈଳୀକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ସେ ଏମ୍‌ପି ହେବା ପରେ ମନ୍ତ୍ରୀପଦ ପାଇବା ନେଇ ଚର୍ଚ୍ଚା ହୋଇ ଆସୁଥିଲା।

ଓଡ଼ିଶାରୁ ୮ଜଣ ଏମ୍‌ପି ଲୋକ ସଭାକୁ ନିର୍ବାଚିତ ହୋଇଥିବା ବେଳେ ମୋଦି କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି ୨ ଜଣ। ଧର୍ମେନ୍ଦ୍ର ପୁର୍ବ ଭଳି ନିଜ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଥିବା ବେଳେ ନିଜର ସାଧାସିଧା ଜୀବନଶୈଳୀକୁ ନେଇ ଲୋକପ୍ରିୟ ହୋଇଥିବା ପ୍ରତାପଙ୍କୁ ସୁଯୋଗ ଦିଆଯାଇଛି। ତେବେ ପୂର୍ବ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଜୁଏଲ ଓରାମଙ୍କୁ ନିରାଶ ହେବାକୁ ପଡ଼ିଛି। ସେହିଭଳି ଭୁବନେଶ୍ୱର ଲୋକ ସଭା ଆସନରୁ ଚଳିତ ନିର୍ବାଚନରେ ବାଜିମାତ କରିଥିବା ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ତାହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Share