‘ଧରିତ୍ରୀ’ ପ୍ରଭାବ: ବ୍ଲକ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଶାନ୍ତ ୮ ବର୍ଷ ପରେ ନ୍ୟାୟ ପାଇଲେ

କୋରୁକୋଣ୍ଡା,୫।୯(ଡି.ଏନ୍‌.ଏ.): ଶୁଣିଲେ ସରକାର, ମିଳିଲା ସହାୟତା । ୮ ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ। ଘଟଣାଟି ହେଉଛି ମାଲକାନଗିରି ଜିଲା ଅନ୍ତର୍ଗତ କୋରୁକୋଣ୍ଡା ବିଡିଓଙ୍କ ଗାଡ଼ି ଚାଳକ ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମର କଥା।

ମାଥିଲି ଅଞ୍ଚଳର ସୁଶାନ୍ତ ୨୦୦୭ ଜୁନ ୨୬ରେ କୋରୁକୋଣ୍ଡା ବିଡିଓଙ୍କ ଗାଡ଼ି ଚାଳକ ଭାବେ ଅସ୍ଥାୟୀ ଭାବେ ନିଯୁକ୍ତ ହୋଇଥିଲେ। ହେଲେ ୨୦୧୨ ଫେବୃୟାରୀରେ ସେ ତାଙ୍କର ଶେଷ ଦରମା ପାଇଥିଲେ। କୌଣସି କାରଣ ନ ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ସୁଶାନ୍ତଙ୍କ ଦରମା ବନ୍ଦ କରି ଦେଇଥିଲେ। ଏ ନେଇ ସେ ବାରମ୍ବାର ନିଜ ଅଧିକାରୀ ଏବଂ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା। କିନ୍ତୁ ତାଙ୍କ ସହ ଅସ୍ଥାୟୀ ନିଯୁକ୍ତି ପାଇଥିବା ଅନ୍ୟ ଡ୍ରାଇଭରଙ୍କ ଚାକିରି ନିୟମିତ ହେବା ସହ ସେମାନେ ଠିକ୍‌ ରୂପେ ଦରମା ମଧ୍ୟ ପାଉଥିଲେ। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ସୁଶାନ୍ତ । ମାତ୍ର ସବୁଥିରେ ବିଫଳ ହୋଇ ଶେଷରେ ଜୁଲାଇ ୨୬ ତାରିଖ ଦିନ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ବ୍ଲକ ଅଫିସ ସମ୍ମୁଖରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସୁଶାନ୍ତ । ତାଙ୍କୁ ବିଡିଓ ଓ ଅନ୍ୟ କର୍ମଚାରୀ ଉଦ୍ଧାର କରିଥିଲେ । ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ସହ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର ଘଟଣାକୁ କୋରୁକୋଣ୍ଡା ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶେଷରେ ବୁଧବାର ସୁଶାନ୍ତଙ୍କୁ ଦରମା ଦେବାପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଅଗଷ୍ଟ ୨୦୧୯ରୁ ସୁଶାନ୍ତଙ୍କ ନିୟମିତ ଭାବେ ଦରମା ଲାଗୁ ହେବା ନେଇ ମାଲକାନଗିରି ଜିଲାପାଳ ମନୀଶ ଅଗ୍ରୱାଲ ଘୋଷଣା କରିଛନ୍ତି। ଏଥିସହ ଯେଉଁ ୮ ବର୍ଷ ସୁଶାନ୍ତ ବ୍ଲକ ଅଫିସରେ ଓ ଦେବରାଜ ଡିପିଓ ଅଫିସରେ କାର୍ଯ୍ୟ କରି ଦରମା ପାଇ ନାହାନ୍ତି ତାହା ବିଚାରାଧୀନ ଥିବାରୁ ବିଚାର ସରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ତେବେ ଚାକିରି ନିୟମିତ ହୋଇଥିବାରୁ ସୁଶାନ୍ତ ‘ଧରିତ୍ରୀ’କୁ ଧନ୍ୟବାଦ ଜଣାଇଛନ୍ତି ।