‘ଧରିତ୍ରୀ’ ପ୍ରଭାବ: ଖବର ପ୍ରକାଶନ ପରେ ଲୁଣାବନ୍ଧ ଘାଇ ମରାମତି ଆରମ୍ଭ

କାକଟପୁର,୧୭।୮(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲୁଣାବନ୍ଧର ଚତୁରା ଘେରି ନିକଟରେ ୫୦ଫୁଟ ଲମ୍ବର ଘାଇ ସୃଷ୍ଟି ହେବା ଯୋଗୁ ବନ୍ୟାପାଣି ନଗର ପଞ୍ଚାୟତର ୨୦ଟି ଗ୍ରାମର ଚାଷଜମିରେ ମାଡ଼ି ଯାଇଥିଲା। ଏ ନେଇ ଶନିବାର କେବଳ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଲୁଣାବନ୍ଧ ଘାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଅସ୍ତରଙ୍ଗ ତହସିଲଦାର ଅଶୋକ କୁମାର ସ୍ବାଇଁ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ଘାଇ ମରାମତି କରିବାକୁ କାକଟପୁର ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳ, ସହକାରୀ ଯନ୍ତ୍ରୀ ପ୍ରାଣବନ୍ଧୁ ବେହେରା, କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବାଲିବସ୍ତା ପକାଇ ଘାଇ ବନ୍ଦ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଘାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ସନ୍ଧ୍ୟାସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ ବୋଲି ଯନ୍ତ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି। ତେବେ ନଦୀରେ ବନ୍ୟାଜଳ ହ୍ରାସ ପାଉଥିବାରୁ କୌଣସି କ୍ଷୟକ୍ଷତି ହେବ ନାହିଁ। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଚାଷଜମିରେ ମାଡ଼ି ଯାଇଥିବା ବନ୍ୟାଜଳ ସୁଇସ୍‌ ଗେଟ ଦେଇ ନଦୀକୁ ନିଷ୍କାସିତ ବୋଲି ସେ ମଧ୍ୟ କହିଛନ୍ତି।