ଧରିତ୍ରୀ ପ୍ରଭାବ: ଖଜୁରି ଗଛ ପାଲଟିଛି ଆଶ୍ରୟସ୍ଥଳ; ଖବର ପ୍ରକାଶ ପରେ ରାମ କବାସୀଙ୍କୁ ମିଳିବ ପକ୍କା ଘର

ପାଣ୍ଡ୍ରିପାଣି,୧୮ା୧୨: ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ତଳସାହିରେ ରାମ କବାସୀ (୭୦) ଦୀର୍ଘ ୬ ବର୍ଷ ହେଲା ନିଜ ଘରଦ୍ୱାର ନ ଥିବାରୁ ଏକ ଖଜୁରି ଗଛ ତଳେ ଆଶ୍ରୟ ନେଇଥିଲେ। ଏ ସମ୍ପର୍କରେ ଖବର ପ୍ରକାଶ ପରେ ବରଗଡ ଜିଲା ପଦ୍ମପୁରର ସାମାଜିକ କର୍ମୀ ଦୀପା ବାରିକଙ୍କ ଖବରକୁ ମୁଖ୍ୟମନ୍ତ୍ରୀ ଏବଂ ମାଲକାନଗିରି ଜିଲାପାଳଙ୍କୁ ଟ୍ବିଟ୍‌ କରି ରାମଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ମାଲକାନଗିରି ବିଡିଓ ପଦ୍ମଗିରି  ରାମଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ରାମଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଥିବା, ତାଙ୍କର କୌଣସି ସନ୍ତାନ ନ ଥିବା, ତାଙ୍କୁ ମାସିକ ୫୦୦ ଟଙ୍କା ଭତ୍ତା ଏବଂ ୧୦ କେଜି ଚାଉଳ ମିଳୁଥିବା ରିପୋର୍ଟରେ ଦର୍ଶାଇଥିଲେ। ଖୁବ୍‌ ଶୀଘ୍ର ତାଙ୍କୁ ବିଜୁ ପକ୍କା ଗୃହ ଯୋଜନାରେ ଏକ ଘର ଯୋଗାଇ ଦେବେ ବୋଲି ବିଡିଓ ଜିଲାପାଳଙ୍କୁ ରିପୋର୍ଟରେ ଅବଗତ କରାଇଛନ୍ତି।