ଧରିତ୍ରୀ ପ୍ରଭାବ: ଆଜି ବ୍ରହ୍ମାନନ୍ଦଙ୍କ ଧାନ କିଣିବେ ସରକାର; ଟୁଇଟ୍‌ ଯୋଗେ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବାଘମାରୀ ଗାଁର ଚାଷୀ ବ୍ରହ୍ମାନନ୍ଦ ଦାଶଙ୍କ ଧାନ କିଣା ହେଉ ନ ଥିଲା। ଚାଷ କାର୍ଯ୍ୟ ପାଇଁ ସେ ଋଣ କରିବା ସହ ସୁଧ ଗଣୁଥିଲେ। ଏପରି କି ଧାନ କିଣ, ନ ହେଲେ ଇଚ୍ଛାମୃତ୍ୟୁକୁ ଅନୁମତି ଦିଅ ବୋଲି ବ୍ରହ୍ମାନନ୍ଦ ଦାବି କରିଥିଲେ। ଏ ସମ୍ପର୍କିତ ଏକ ଖବର ଶନିବାର ଧରିତ୍ରୀରେ ‘ଧାନ କିଣ, ନ ହେଲେ ଇଚ୍ଛାମୃତ୍ୟୁକୁ ଅନୁମତି ଦିଅ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାକୁ ଜନୈକ ପାଠକ ତଥା ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଟୁଇଟର୍‌ ଜରିଆରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ମନ୍ତ୍ରୀ ଏହି ଖବରକୁ ନେଇ ଖୋର୍ଦ୍ଧା ଜିଲା ଯୋଗାଣ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଥିଲେ। ଶନିବାର ସା ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ରବିବାର ବ୍ରହ୍ମାନନ୍ଦଙ୍କଠାରୁ ଧାନ କିଣାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଟୋକନ୍‌ ପ୍ରଦାନ କରାଯାଇଥିବା ମନ୍ତ୍ରୀ ସ୍ବାଇଁ ଟୁଇଟ୍‌ କରିଛନ୍ତି।