ଧରିତ୍ରୀ ପ୍ରଭାବ:ଶେଷରେ ତ୍ରୁଟି ସୁଧାରିଛି ସାମ୍‌ସ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ୨ ନାମଲେଖା କ୍ଷେତ୍ରରେ ବଡ ଧରଣର ତ୍ରୁଟି ହୋଇଥିବା ଧରିତ୍ରୀ ଦୃଷ୍ଟିକୁ ଆସିଥିଲା। ଗତ ସେପ୍ଟେମ୍ବର ୧୯ ତାରିଖରେ ରାଜ୍ୟର ଅନେକଗୁଡିଏ ଯୁକ୍ତ୨ କଲେଜରେ ନାମ ଲେଖାଇବା ପାଇଁ ଛାତ୍ରୀଛାତ୍ରମାନଙ୍କ ଏକ ତାଲିକା ଆସି ପହଞ୍ଚିଥିଲା। ଉକ୍ତ ପିଲାମାନଙ୍କ ନିକଟକୁ ଇଣ୍ଟିମେଶନ ମଧ୍ୟ ପହଞ୍ଚିଥିଲା। ତାଲିକାରେ ନାମ ରହିଥିବା ପିଲାମାନେ ଆଡ୍‌ମିଶନ କରିଥିଲେ। ନାମ ଲେଖାଇବା ସମୟରେ କଲେଜଗୁଡିକ ପକ୍ଷରୁ ରସିଦ୍‌ ମଧ୍ୟ ପ୍ରଦାନ କରାଗଲା। ମାତ୍ର ଏହାର ଦିନକ ପରେ କଲେଜ ନିକଟକୁ ଆଉ ଏକ ତାଲିକା ପହଞ୍ଚିଥିଲା। ପୂର୍ବରୁ ଆସିଥିବା ତାଲିକା ଭୁଲ୍‌ ଥିଲା ବୋଲି କୁହାଗଲା। ଅନ୍ୟପଟେ ନାମ ଲେଖାଇଥିବା ପିଲାମାନଙ୍କୁ ଟେଲିଫୋନ ଯୋଗେ ସେମାନଙ୍କ ଆଡ୍‌ମିଶନ ବୈଧ ନୁହେଁ ଟଙ୍କା ଫେରାଇନେବା ଲାଗି କଲେଜଗୁଡିକ ପକ୍ଷରୁ କୁହାଗଲା। ଏହାପରେ ପିଲାମାନେ ଦ୍ୱନ୍ଦ୍ୱରେ ପଡିବା ସାଙ୍ଗକୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ହରଡଘଣାରେ ପଡିଥିଲେ। ସାମ୍‌ସ(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ) ପକ୍ଷରୁ ହୋଇଥିବା ଏହି ତ୍ରୁଟିକୁ ଲୁଚାଇବା ସକାଶେ ସବୁ ପ୍ରକାର ଉଦ୍ୟମ ଚାଲିଥିଲା। ନାମ ଲେଖାଇଥିବା ପିଲାମାନେ ମଧ୍ୟ ବାରମ୍ବାର ଦୌଡିବା ସତ୍ତ୍ୱେ ସେମାନଙ୍କୁ ବାରମ୍ବାର ମିଛ ଆଶ୍ୱାସନା ଦେଇ ଫେରାଇ ଦିଆଯାଉଥିଲା। ଏହାର ଦଶଦିନ ପରେ ସେପ୍ଟେମ୍ବର ୨୯ ତାରିଖରେ ଧରିତ୍ରୀ ପକ୍ଷରୁ ଏନେଇ ଏକ ଖବର ପ୍ରକାଶ ପାଇଥିଲା। ଉକ୍ତ ଖବର ପ୍ରକାଶ ପାଇବାପରେ ସରକାରୀ ତତ୍ପରତା ଆରମ୍ଭ ହୋଇଯାଇଥିଲା। ସାମ୍‌ସ ଅଧିକାରୀ ଯେଉଁସବୁ କଲେଜରେ ପିଲାଙ୍କ ଆଡ୍‌ମିଶନ ନେଇ ସମସ୍ୟା ସୃଷ୍ଟି ହୋଇଥିଲା ସେଠାକୁ ଗସ୍ତ କରିଥିଲେ। ଗତ ଶନିବାର ତଥା ଅକ୍ଟୋବର ୧୨ ତାରିଖ ଦିନ ଯେଉଁ ପିଲାମାନଙ୍କୁ ସାମ୍‌ସ ପକ୍ଷରୁ ହଇରାଣ କରାଯାଇଥିଲା ସେମାନଙ୍କ ଆଡ୍‌ମିଶନ କରାଇ ଦିଆଯାଇଛି। ଯେଉଁ ପିଲାମାନେ ଅସୁବିଧାରେ ପଡିଥିଲେ ସେମାନେ ଧରିତ୍ରୀ ଖବର ଯୋଗୁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି।