ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌: ରକ୍ତ କର୍କଟ ପୀଡ଼ିତ ଶିଶୁଙ୍କ ଚିକିତ୍ସା ସହାୟତା ପାଇଁ ନିବେଦନ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ, ୧୪।୩- ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୬ ଡ୍ୟାମ୍‌ କଲୋନୀ (ଗାନ୍ଧୀନଗର) ନିବାସୀ ଅଜୟ ଦୀପଙ୍କ ଏକମାତ୍ର ଶିଶୁପୁତ୍ର ରୋହିତ(୫) ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ କ୍ୟାନ୍‌ସର ହସ୍‌ପିଟାଲକୁ ନେଇଛନ୍ତି। ତେବେ ରୋହିତଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ଏବଂ ଚିକିତ୍ସା ସହାୟତା ପାଇଁ ସହଯୋଗର ହାତ ବଢାଇବାକୁ ସରକାର, ପ୍ରଶାସନ ଏବଂ ସ୍ବେଚ୍ଛାସେବୀମାନଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଶନିବାର ‘ଧରିତ୍ରୀ’ ସମ୍ବଲପୁର ସଂସ୍କରଣରେ ଏକ ଖବର ପ୍ରକାଶ ପାଇଛି। ଏହି ଖବରକୁ ଆଧାର କରି ଶନିବାର ବରଗଡ଼ ସାମାଜିକ କର୍ମୀ ଦୀପା ବାରିକ ରକ୍ତ କର୍କଟ ପୀଡିତ ରୋହିତଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ସିଏମ୍‌ଆର୍‌ଏଫ୍‌)ରୁ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି। ଏ ନେଇ ଦୀପା ଟୁଇଟ କରି ମୁଖ୍ୟମନ୍ତ୍ରୀ, ବରଗଡ଼ ଜିଲାପାଳ ପ୍ରମୁଖଙ୍କୁ ନିବେଦନ କରିଛନ୍ତି।