ଧନେଇ ଡ୍ୟାମ୍‌ରେ ବୁଡ଼ି ନାବାଳକ ମୃତ

ପୋଲସରା/ହାତୀଓଟ,୩୦ା୯-ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପିହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା ଶାସନ ଆଡୁାଆସାହିର ମନୁ ସାହୁଙ୍କ ପୁତ୍ର ସିଦ୍ଧାନ୍ତ (୧୪)। ରବିବାର ଛୁଟି ଥିବାରୁ ସାଙ୍ଗମାନଙ୍କ ସହ ସିଦ୍ଧାନ୍ତ ଧନେଇ ଡ୍ୟାମକୁ ଗାଧୋଇ ଯାଇଥିଲେ। ପଥରରେ ଶିଉଳି ଲାଗିଥିବାରୁ ସିଦ୍ଧାନ୍ତଙ୍କ ଗୋଡ ଖସି ଯାଇଥିଲା। ପାଣିଧାରରେ ଭାସିଯିବାପରେ ଏକ ପଥର ଖଣ୍ଡ ଗଡି ଗଡି ଯାଇ ତାଙ୍କୁ ଚାପି ଦେଇଥିଲା। ସେ ପଥର ତଳେ ଚାପିହୋଇ ରହି ଯାଇଥିଲେ। ଫଳରେ ଚାପି ହୋଇ ସିଦ୍ଧାନ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚିରିକିପଡା ଶାସନ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚତ୍ ପୋଲସରା ଦମକଳ କେନ୍ଦ୍ରକୁ ଖବର ଦେବାସହ ଗ୍ରାମରେ ଥିବା ଏକ ଜେସିବି ସହାୟତାରେ ପଥର ଖଣ୍ଡକୁ ଉଠାଇ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ପରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡା. ଗୋପବନ୍ଧୁ ବେହେରା ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମେଡିକାଲରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବା ସହ ନଂ.୧୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଏଏସ୍‌ଆଇ ବାବୁଲାଲ ରାଉଳ କହିଛନ୍ତି।