ଦ.ପୂ. ରେଳପଥ ଜିଏମ୍‌ଙ୍କ ବଡ଼ବିଲ ଗସ୍ତ: ବଡ଼ବିଲ-ବାଂଶପାଣି ରେଳପଥ ଦାବି ଦୋହରାଇଲା ବିକାଶ ପରିଷଦ

ବଡ଼ବିଲ,୨୯।୯(ସ୍ବ.ପ୍ର.)- ଦ.ପୂ. ରେଳବାଇ ଜିଏମ ସଞ୍ଜୟ କୁମାର ମହାନ୍ତି ଶନିବାର ସାରେ କେନ୍ଦୁଝର ଜିଲା ବଡ଼ବିଲ ରେଳଷ୍ଟେଶନ ପରିଦର୍ଶନରେ ଆସି ପହଞ୍ଚିଥିଲେ। ଏହି ଅବସରରେ ବଡ଼ବିଲ ବିକାଶ ପରିଷଦର ସଦସ୍ୟଙ୍କ ସମେତ ସ୍ଥାନୀୟ ଲୋକେ ତାଙ୍କୁ ଭେଟି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଜିଏମଙ୍କ ସହ ଆଲୋଚନା ଅବସରରେ ବଡ଼ବିଲ-ବାଂଶପାଣି ରେଳପଥ ସଂଯୋଗୀକରଣ ଦାବିକୁ ଦୋହରାଇଥିଲା ବିକାଶ ପରିଷଦ। ଏଥିସହ ଷ୍ଟେଶନ ପରିସରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାର୍କିଂ ବ୍ୟବସ୍ଥା ସମେତ ପ୍ରବେଶ ଓ ପ୍ରସ୍ଥାନ ପଥ, ବିଶ୍ରାମ କକ୍ଷ, ବାକି ଥିବା ପ୍ଲାଟଫର୍ମର ଛପର ନିର୍ମାଣ ଲାଗି ଦାବି କରାଯାଇଥିଲା। ସେହିପରି ବଡବିଲର ଦଇୁଟି ଲେଭଲ କ୍ରସିଂ ନିକଟରେ ଫ୍ଲାଇ ଓଭର ନିର୍ମାଣ କାର୍ଯ୍ୟ ଦୀର୍ଘ ୧ ବର୍ଷ ହେବ ଆରମ୍ଭ ହୋଇଥିଲେ ମଧ୍ୟ ମନ୍ଥର ଗତିରେ କାମ ଚାଲିଥିବାରୁ ଏହାକୁ ତ୍ୱରାନ୍ବିତ କରିବା ସକାଶେ ଦାବି କରାଯାଇଥିଲା।
ଜିଏମ ମହାନ୍ତି ଏସବୁ ଦାବି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ଉଲ୍ଲେଖନୀୟ ଯେ, ବଡ଼ବିଲ-ବାଂଶପାଣି ରେଳପଥ ସଂଯୋଗୀକରଣ ଲାଗି ବଡ଼ବିଲ ବିକାଶ ପରିଷଦ ୩ ବର୍ଷ ତଳେ ଦାବିପତ୍ର ପ୍ରଦାନ କରିଥିଲା। ରେଳବାଇ କର୍ତ୍ତୃପକ୍ଷଙ୍କ ଅବହେଳା ପ୍ରତିବାଦରେ ଧାରଣା ଆନ୍ଦୋଳନ କରାଯାଇଥିଲା। ଏହି ରେଳପଥ ନିର୍ମାଣ ହେଲେ ଅଞ୍ଚଳର ବିକାଶ ତ୍ୱରାନ୍ବିତ ହେବ ବୋଲି ପରିଷଦ ଜଣାଇଥିଲା। ଏଯାଏ ସର୍ଭେ କାର୍ଯ୍ୟ ହୋଇ ନ ଥିବାରୁ ପରିଷଦର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଜିଏମ ମହାନ୍ତି ଆଲୋଚନା ପୂର୍ବରୁ ଷ୍ଟେଶନ ପରିସର ବୁଲି ଦେଖିଥିଲେ। ରାତ୍ର ପ୍ରାୟ ସାଢେ ୮ଟା ବେଳେ ଟ୍ରେନ ଯୋଗେ ଫେରି ଯାଇଥିଲେ।