ଦ୍ୱିତୀୟ ବିମ୍‌ଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ଭୁବନେଶ୍ୱର ଓ ପୁରୀଠାରେ ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଉଦ୍‌ଘାଟନ କରିବେ। ସେହିପରି ପୁରୀର କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ କ୍ଷେତ୍ରୀୟ ତାଲିମ ଶିବିରକୁ ଫେବୃୟାରୀ ୧୨ ତାରିଖରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ସଭ୍ୟ ରାଷ୍ଟ୍ର ବାଂଲାଦେଶ, ଭାରତ, ମ୍ୟାନମାର, ଶ୍ରୀଲଙ୍କା ଓ ନେପାଳ ଯୋଗ ଦେବେ। ତେବେ ଭୁଟାନ ଓ ଥାଇଲାଣ୍ଡ ଏହି ଅଭ୍ୟାସରେ ଭାଗ ନେବେ ନାହିଁ। ସୋମବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏନ୍‌ଡିଆର୍‌ଏଫ୍‌ର ଡାଇରେକ୍ଟର ଜେନେରାଲ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ମିଳିତ ଭାବେ ଏହି ସୂଚନା ଦେଇଛନ୍ତି।
୩ ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଫେବୃୟାରୀ ୧୧ ତାରିଖରେ ଉଦ୍‌ଘାଟନ ସହିତ କ୍ଷତିଗ୍ରସ୍ତ ଅଟ୍ଟାଳିକା ଉପରେ ଟେବୁଲ ଟପ ଅଭ୍ୟାସ, ୧୨ ତାରିଖରେ କୋଣାର୍କ ସ୍ଥିତ ରାମଚଣ୍ଡୀଠାରେ ଜଳର ବିପର୍ଯ୍ୟୟ ପ୍ରତିକ୍ରିୟା ଦ୍ୱାରା ଐତିହ୍ୟ ସ୍ଥଳଗୁଡିକର ସୁରକ୍ଷା ଉପରେ ତାଲିମ ଅଭ୍ୟାସ ଏବଂ ୧୩ ତାରିଖରେ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଅନୁଶୀଳନ, ସଭ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ନୀତି ନିର୍ଦ୍ଧାରଣ ଆଲୋଚନା ଆଦି ସାମିଲ ହେବ।
ରାମଚଣ୍ଡୀଠାରେ ଏକ ଅଭ୍ୟାସ ଗ୍ରାମ ପ୍ରତିଷ୍ଠା କରାଯାଇଛି। ବିପର୍ଯ୍ୟୟରୁ ଐତିହ୍ୟସ୍ଥଳକୁ କିପରି ରକ୍ଷା କରାଯାଇ ପାରିବ ସେନେଇ ଅଭ୍ୟାସ କରାଯିବ। ପୂର୍ବରୁ ୨୦୧୯ ନଭେମ୍ବରରେ ପୁରୀଠାରେ ପ୍ରଥମ ଦଫା ପ୍ରସ୍ତୁତି ବୈଠକ କରାଯାଇ ମୁଖ୍ୟ ଅଭ୍ୟାସ ସମୟରେ କ୍ଷେତ୍ର ପ୍ରଶିକ୍ଷଣ ନିମନ୍ତେ କ୍ଷେତ୍ର ପ୍ରଦର୍ଶନ କରି ସ୍ଥାନ ନିରୂପଣ କରାଯାଇଥିଲା। ଏହି ଅଭ୍ୟାସରେ ୟୁଏନ୍‌ଡିପି, ଅନ୍ତର୍ଜାତୀୟ ଖୋଜିବା ଓ ଉଦ୍ଧାରକାରୀ ଦଳ, ସାଂସ୍କୃତିକ ସମ୍ପତ୍ତି ସଂରକ୍ଷଣ ଏବଂ ଅଧ୍ୟୟନ ପାଇଁ ଅନ୍ତର୍ଜାତୀୟ କେନ୍ଦ୍ର ସହ ବିିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।