ଦ୍ୱିତୀୟ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ସୁନା ଗହଣା, ଟଙ୍କା ନେଇ ଯୁବକ ଫେରାର

ଦିଗପହଣ୍ଡି,୧୭।୩(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜନୈକା ବିବାହିତାଙ୍କୁ ଜଣେ ଯୁବକ ୨ୟ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଏପରି କି ଅଭିଯୁକ୍ତ ତାଙ୍କଠାରୁ ସୁନା ଗହଣା ସମେତ ନଗଦ ଟଙ୍କା ଠକିନେଇ ଫେରାର ହୋଇଯାଇଥିବା ମହିଳା ଜଣକ ମଙ୍ଗଳବାର ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଉକ୍ତ ମହିଳାଙ୍କର ତାଙ୍କ ସ୍ବାମୀଙ୍କ ସହ ମନାନ୍ତର ହେବାରୁ ସେ ଅଲଗା ରହୁଥିଲେ। ଏହାର ସୁଯୋଗନେଇ ଅଭିଯୁକ୍ତ ଯୁବକ ତାଙ୍କସହ ସମ୍ପର୍କ ସ୍ଥାପନ କରିଥିଲେ। ଇତିମଧ୍ୟରେ ୨୦୧୮ ମାର୍ଚ୍ଚ ମାସରେ ସେ ମହିଳାଙ୍କୁ ଭୁବନେଶ୍ୱର ନେଇ ଆସିଥିଲେ। କିଛିଦିନ ଭୁବନେଶ୍ୱରରେ ରହିବାପରେ ଅଭିଯୁକ୍ତ କୌଶଳ କ୍ରମେ ତାଙ୍କଠାରୁ ମଙ୍ଗଳସୂତ୍ର, କାନଫୁଲ, ମୁଦି ଆଦି ସୁନା ଗହଣା ସମେତ ନଗଦ ୨୬ ହଜାର ଟଙ୍କା ନେଇଯାଇଥିଲେ। ଅଭିଯୁକ୍ତଙ୍କୁ ଟଙ୍କା ଓ ଗହଣା ଫେରାଇବା ପାଇଁ ମହିଳା ବାରମ୍ବାର କହିବାରୁ ସେ ଆଉ ଧରାଛୁଆଁ ଦେଇ ନ ଥିଲେ। ଶେଷରେ ନିରାଶ ହୋଇ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ବଳଭଦ୍ର ଗଣ୍ଡ କହିଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ଗ୍ରାମରୁ ଫେରାର ହୋଇଯାଇଥିବା ଜଣାପଡିଛି। ଏ ନେଇ ପୋଲିସ କେସ୍‌ ନଂ.୫୭/୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।