ଦୋଛକିରେ ଜୀବନ ଓ ଜୀବିକା

ରୁଦ୍ରପ୍ରସନ୍ନ ମିଶ୍ର

କରୋନା ମହାମାରୀ ବିଗତ କିଛି ଦଶକ ଭିତରେ ମାନବ ସଭ୍ୟତା ଆଗରେ ଠିଆ ହୋଇଥିବା ସଙ୍କଟମାନଙ୍କ ମଧ୍ୟରେ ବୋଧହୁଏ ସବୁଠାରୁ ବଡ ସଙ୍କଟ। ବିଶ୍ୱବ୍ୟାପୀ ପାଖାପାଖି ତିରିଶି ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି ଏହି ମହାମାରୀରେ। ଦୁଇଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି ମାତ୍ର କେଇ ମାସ ଭିତରେ। ଚାଇନାଠାରୁ ଆରମ୍ଭ କରି ସମଗ୍ର ୟୁରୋପ ଆଉ ଯୁକ୍ତରାଷ୍ଟ୍ର ଆମେରିକା ପରି ଅନେକ ଦେଶ ଉନ୍ନତ ସ୍ବାସ୍ଥ୍ୟ ସେବା ଓ ଆବଶ୍ୟକ ସମ୍ବଳ ଥିବା ସତ୍ତ୍ୱେ, ଏହି ମହାମାରୀ ସହ ଲଢେଇରେ ନାକେଦମ ହୋଇସାରିଲେଣି। ଭାରତରେ ସ୍ଥିତି ଏଯାଏ ସେଭଳି ଖରାପ ନ ହେଲେ ମଧ୍ୟ କିଛି କମ୍‌ ଗୁରୁତର ନୁହେଁ। କରୋନା ପ୍ରାଦୁର୍ଭାବ ଭାରତରେ ପରିଲକ୍ଷିତ ହେବା ପୂର୍ବରୁ ମହାମାରୀ ବିଶେଷଜ୍ଞମାନେ ଆକଳନ କରୁଥିଲେ, ଭାରତରେ ପାଖାପାଖି ୪୦ କୋଟି ଲୋକ ଜୁଲାଇ ମାସ ସୁଦ୍ଧା ଏହି ରୋଗରେ ଆକ୍ରାନ୍ତ ହେବେ। ଏଥିମଧ୍ୟରୁ ପାଖାପାଖି ଏକ କୋଟି ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବେ। କିନ୍ତୁ ଦେଶରେ କେବଳ ଏକଲକ୍ଷ ଆଇସିୟୁ ଆଉ କୋଡିଏ ହଜାର ଭେଣ୍ଟିଲେଟରର ସୁବିଧା ଥିଲା। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପାଖରେ ବୋଧହୁଏ ଲକ୍‌ଡାଉନ ଛଡା ଆଉ କିଛି ଉପାୟ ନ ଥିଲା, ଯାହା କେତେକାଂଶରେ ଫଳପ୍ରଦ ହେଉଛି ମଧ୍ୟ।
ବିକଶିତ ଦେଶମାନଙ୍କରେ ଆର୍ଥିକ ସମ୍ବଳ, ସ୍ବାସ୍ଥ୍ୟସେବା ସୁବିଧା ଓ ପ୍ରଶାସନିକ ଦକ୍ଷତା ଥିବା ହେତୁ ସେହି ଦେଶମାନଙ୍କରେ ଲକ୍‌ଡାଉନକୁ ଦୀର୍ଘ ସମୟ ଧରି ବଳବତ୍ତର ରଖାଯାଇ ପାରିବ ତଥା ସମାନ୍ତରାଳ ଭାବରେ ସାମାଜିକ ଦୂରତା, ସଙ୍ଗରୋଧ, ବିସ୍ତୃତ କରୋନା ପରୀକ୍ଷା ଓ ଚିକିତ୍ସା ଇତ୍ୟାଦି କରୋନା ନିୟନ୍ତ୍ରଣ ଉପାୟ ମଧ୍ୟ କାର୍ଯ୍ୟକାରୀ କରିହେବ। ହେଲେ ଗରିବ ଦେଶମାନଙ୍କ ପାଖରେ ଦୀର୍ଘଦିନ ଧରି ଲକ୍‌ଡାଉନକୁ ବଳବତ୍ତର ରଖିବା ପାଇଁ ନା ପ୍ରଶାସନିକ ବା ଆର୍ଥିକ କ୍ଷମତା ଅଛି ନା ଏତେ ସଂଖ୍ୟକ ଆକ୍ରାନ୍ତ ରୋଗୀଙ୍କୁ ଏକସମୟରେ ଚିକିତ୍ସା କରିବା ପାଇଁ ଭିତ୍ତିଭୂମି ଅଛି। ଯଦିଓ ଭାରତର ସ୍ଥିତି ଆଫ୍ରିକା ଅବା ଅନେକ ଏସୀୟ ଗରିବ ରାଷ୍ଟ୍ର ପରି ଶୋଚନୀୟ ନୁହେଁ, ଭାରତ ବିକଶିତ ଦେଶମାନଙ୍କ ପରି ସମର୍ଥ ବି ନୁହେଁ। ଭାରତ କେତେଦିନ ଲକ୍‌ଡାଉନ ବଳବତ୍ତର ରଖିପାରିବ, ତାହା ହିଁ ନିର୍ଣ୍ଣୟ କରିବ, ବିଜୟୀ କିଏ ହେବ। କରୋନା ବିରୁଦ୍ଧ ଏହି ସଂଗ୍ରାମରେ ଭାରତର ଏହା ହିଁ ଏକମାତ୍ର ରଣନୀତି ମନେହୁଏ। ପ୍ରାଥମିକ ଅନୁସନ୍ଧାନ ଓ ସରକାରୀ ରିପୋର୍ଟ ଅନୁଯାୟୀ ସମୟୋପଯୋଗୀ ଲକ୍‌ଡାଉନ ଫଳରେ ଏହି ମହାମାରୀକୁ ଅନେକ ଭାବରେ ନିୟନ୍ତ୍ରଣ କରାଯାଇ ପାରିଛି। କିନ୍ତୁ ଯେ ପର୍ଯ୍ୟନ୍ତ ପ୍ରତିଷେଧକ ଅବା ଉପଯୋଗୀ ଔଷଧ ବଜାରରେ ଉପଲବ୍ଧ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହା କିଛି ନା କିଛି ଲୋକଙ୍କୁ ଆକ୍ରାନ୍ତ କରିବ ଆଉ ପରେ ବ୍ୟାପିବାକୁ ଲାଗିବ। ଏହିଭଳି ପରିସ୍ଥିତିରେ ଯଦି ଦେଶରେ କେବଳ ଏକ ପ୍ରତିଶତ ଲୋକ ଆକ୍ରାନ୍ତ ହୁଅନ୍ତି, ତେବେ ଦେଢକୋଟି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଆମେ ବୋଧହୁଏ ସକ୍ଷମ ହେବାନାହିଁ ।
ଲକ୍‌ଡାଉନ ସତ୍ତ୍ୱେ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ୱିକ୍‌ ମାଗାଜିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୁମ୍ବାଇରେ ୮୫ ପ୍ରତିଶତ ମାମଲା କେବଳ ବସ୍ତି ଅଞ୍ଚଳରେ ବ୍ୟାପିଛି। ଏପ୍ରିଲ ମାସର ପ୍ରଥମ ବାଇଶ ଦିନ ଭିତରେ ମୁମ୍ବାଇରେ ଧାରଣ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ୍‌) ସଂଖ୍ୟା ୭୭ରୁ ବଢି ୮୧୩ ହୋଇଯାଇଅଛି। ମୁମ୍ବାଇ ବର୍ତ୍ତମାନ ଏକ ଅଦ୍ଭୁତ ପରିସ୍ଥିତି ଦେଇ ଗତି କରୁଛି। ମୁମ୍ବାଇରେ ଏବଂ ଖାସ କରି ବସ୍ତି ଅଞ୍ଚଳରେ ସାମାଜିକ ଦୂରତା ଓ ସଙ୍ଗରୋଧ ଜାରି ରଖିବା ସମ୍ଭବ ନୁହେଁ। ମୁମ୍ବାଇରେ ୪୨ ପ୍ରତିଶତ ଲୋକ ବସ୍ତି ଅଞ୍ଚଳରେ ବାସ କରନ୍ତି, ଯେଉଁଠି ପ୍ରତି ଏକ ବର୍ଗ କିଲୋମିଟରରେ ପାଖାପାଖି କୋଡିଏ ହଜାର ଲୋକ ରୁହନ୍ତି। ଏଠି ସାମାଜିକ ଦୂରତା ପରକଥା, ଶାରୀରିକ ଦୂରତା ବଜାୟ ରଖିବା ଅସମ୍ଭବ।
ଲକ୍‌ଡାଉନ, ଦେଶ ତଥା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ଆକଳନ ଅନୁଯାୟୀ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି ) ବୃଦ୍ଧି ହାର ୧.୯% କୁ ହ୍ରାସ ପାଇବ। ଅନ୍ୟ କେତେକ ସଂସ୍ଥା ଏହା ଶୂନ୍ୟ ହେବ ବୋଲି ମଧ୍ୟ କଳନା କରିଛନ୍ତି। ପୁଣି ଯଦି ଏହି ସାମାଜିକ ଦୂରତା ରଣନୀତି ବିଫଳ ହୁଏ, ତେବେ ଅର୍ଥନୀତି ଉପରେ ଏହାର ନକାରାତ୍ମକ ପ୍ରଭାବ ମାତ୍ରାଧିକ ହୋଇ ଯାଇପାରେ। ଅର୍ଥନୈତିକ ସଂକୋଚନ ଓ ଆର୍ଥିକ ମାନ୍ଦାବସ୍ଥା ଫଳରେ ବେରୋଜଗାରି ଉତ୍କଟ ହୋଇଯିବ। ଆର୍ଥିକ ମାନ୍ଦାବସ୍ଥା ସମୟରେ ଅର୍ଥନୀତିରେ ସର୍ବପ୍ରଥମେ ଏବଂ ସବୁଠାରୁ ଅଧିକ ପ୍ରଭାବିତ ହେବେ ଦେଶର କୋଟି କୋଟି ଗରିବ ଲୋକ। ଅକ୍ସଫାର୍ମ ତରଫରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସମଗ୍ର ବିଶ୍ୱରେ ପଚାଶ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ। ଆନୁପାତିକ ଭାବରେ ଭାରତରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବ। ସରକାରଙ୍କର ରାଜସ୍ବ ହାନି ଦ୍ୱାରା ଅନେକ ଜନକଲ୍ୟାଣକାରୀ ଯୋଜନା ପାଇଁ ସମ୍ବଳ କମ ପଡିବ। ମାତ୍ରାଧିକ ଋଣର ଜାତୀୟ ମୁଦ୍ରାସ୍ପୀତି ଉପରେ ନକାରାତ୍ମକ ପ୍ରଭାବ ପଡିବ ଓ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କୁ ଦରବୃଦ୍ଧି ପରି ସମସ୍ୟା ସହ ଲଢିବାକୁ ପଡିପାରେ।
ଏହି ପରିପ୍ରେକ୍ଷୀରେ ଲକ୍‌ଡାଉନକୁ କୋହଳ କରି ଅର୍ଥନୈତିକ କାର୍ଯ୍ୟକଳାପ ପୁନର୍ବାର ଆରମ୍ଭ କରିବା ସମୀଚୀନ ମନେହୁଏ। ଯଦିଓ ନିକଟରେ ସରକାର କୃଷିଜାତୀୟ କର୍ମ, ଗ୍ରାମୀଣ ଆର୍ଥିକ କାର୍ଯ୍ୟକଳାପକୁ ଆରମ୍ଭ କରିବାପାଇଁ ଅନୁମତି ଦେଇଛନ୍ତି ତଥା ପରେ କେତେକ ଦୋକାନ ବଜାର ଖୋଲିବା ପାଇଁ ମଧ୍ୟ ନୀତିପ୍ରସ୍ତୁତ କରିଛନ୍ତି, ଆର୍ଥିକ କାର୍ଯ୍ୟକଳାପକୁ ସ୍ଥାୟୀ ଓ ସୁଦୃଢ କରିବାକୁ ହେଲେ ଶିଳ୍ପ, ଉତ୍ପାଦନ ଆଦିକୁ ସମ୍ପୂର୍ଣ୍ଣ ରୂପେ ପୁନଃ ଆରମ୍ଭ କରିବାକୁ ହେବ। ଉଭୟ ବେସରକାରୀ ସଂସ୍ଥା ଓ ଜନସାଧାରଣ କରୋନାକୁ ନେଇ ଅନେକ ସଚେତନ ହୋଇଗଲେଣି ଏବଂ ସାବଧାନ ରହି ଏହାର ସାମ୍ନା କରିପାରିବେ। ସହରର ଓ ଅଫିସ ମାନଙ୍କରେ କାମ କରୁଥିବା ଲୋକମାନଙ୍କୁ ଘରୁ କାମକରିବା ପାଇଁ ସୁବିଧା ସୃଷ୍ଟି ଓ ପ୍ରୋତ୍ସାହିତ କରିବା ଦ୍ୱାରା ଅଫିସ, ରାସ୍ତା ଓ ବଜାରମାନଙ୍କରେ ଭିଡ କମିବ। ଫଳରେ କରୋନା ବ୍ୟାପିବା ହାର ମଧ୍ୟ ନିୟନ୍ତ୍ରିତ ରହିବ। ଅନ୍ୟପକ୍ଷରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ବଢାଇବାରେ ଲାଗିପଡିଛନ୍ତି। ଆଶା ଏହା ବଢିଚାଲିଥିବା ଆକ୍ରାନ୍ତଙ୍କୁ ଉଚିତ ସେବା ଦେବାରେ ସକ୍ଷମ ହେବ ଏବଂ ଅତିଶୀଘ୍ର କରୋନା ଭୂତାଣୁ ସହ ଲଢିବା ପାଇଁ ଔଷଧ ବା ପ୍ରତିଷେଧକ, ଯାହା ଏବେ କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ଅଛି ଉପଲବ୍ଧ ହେବ।
ଆଜି ଆମେ ଜୀବନ ଓ ଜୀବିକାର ଦୋଛକିରେ ଠିଆ ହୋଇଛେ। ଦୁଇଟି ମଧ୍ୟରୁ କେବଳ ଗୋଟିଏକୁ ବାଛିବା ସମ୍ଭବ ନୁହେଁ। ବିଶେଷକରି ଯେତେବେଳେ ପ୍ରଶ୍ନ ଦାରିଦ୍ର୍ୟର। ବୋଧହୁଏ କରୋନା ଯେତିକି ଜୀବନ ନେବ, ଦାରିଦ୍ର୍ୟ, ଅନାହାର, ବେରୋଜଗାର ଓ ଅନ୍ୟାନ୍ୟ ରୋଗ ଯାହା ଏବେ ଆମ ନଜର ଆଢୁଆଳକୁ ଚାଲିଯାଇଛି, ମିଶି ଅନେକ ଅଧିକା କ୍ଷତି କରିବେ। ଏଣୁ ଧୀରେ ଧୀରେ ଲକ୍‌ଡାଉନକୁ କୋହଳ କରି ଆର୍ଥିକ କାର୍ଯ୍ୟକଳାପକୁ ଆଗେଇ ନେବାକୁ ପଡିବ। ବର୍ତ୍ତମାନ ପରିସ୍ଥିତି ଏକ ଦଉଡି ଉପରେ ଚାଲିବା ପରି। ସରକାର, ବେସରକାରୀ ସଂସ୍ଥା ଓ ଜନସାଧାରଣ ସମସ୍ତେ ଯଦି ସଚେତନ ରହିବେ, ସତର୍କ ରହିବେ ତେବେ ହିଁ ସୁରକ୍ଷିତ ରହିବେ।
ମୁମ୍ବାଇ, ମହାରାଷ୍ଟ୍ର
irudra.blogs@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri