ଦୋକାନ ଭଡ଼ା ବୃଦ୍ଧିକୁ ବିରୋଧ

ଅନୁଗୋଳ ଅଫିସ, ୨୬।୧୧ଅନୁଗୋଳ ପୌରପାଳିକାର ଦୋକାନ ଘର ବୃଦ୍ଧିକୁ ବିରୋଧ କରି ବ୍ୟବସାୟୀ ଓ ଅନୁଗୋଳ ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହରରେ ଥିବା ପୌରପାଳିକାର ଦୋକାନ ଗୃହଗୁଡ଼ିର ଉପଯୁକ୍ତ ରକ୍ଷଣା ବେକ୍ଷଣା କରାଯାଇ ପାରୁନାହିଁ। ଏପରି କି ଘର ଗୁଡ଼ିକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ମରାମତି ହେଉନାହିଁ। ଏଭଳି ସ୍ଥଳେ ଭଡ଼ା ବୃଦ୍ଧି କରାଯିବା ବ୍ୟବସାୟୀଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ। ତେଣୁ ଦୋକାନ ଘର ଭଡ଼ା ୫ ଟଙ୍କାରୁ ୧୨ ଟଙ୍କା ବୃଦ୍ଧି ନ କରିବା ପାଇଁ ଅନୁଗୋଳ ନଗର ଭାଜପା ପକ୍ଷରୁ ଦାବି କରାଯାଇଛି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ମାନ୍ଦାବସ୍ଥା ସହ ଦୋକାନ ଗୃହ ଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବ ଓ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବହୁଦିନ ଧରି ଅଳିଆ ଓ ଆବର୍ଜନା ପଡ଼ିରହିଲେ ବି ପୌରପାଳିକା ପକ୍ଷରୁ ତାହା ଉଠାଯାଇ ପାରୁନାହିଁ। ଯଦି ସହରର ପରିମଳ ବ୍ୟବସ୍ଥାରେ ସୁଧାର ନ ଆସେ ଭାଜପା ଅନୁଗୋଳ ନଗର ମଣ୍ଡଳ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ। ଏହି ଦାବିପତ୍ର ପ୍ରଦାନ ସମୟରେ ଭାଜପା ନଗର ମଣ୍ଡଳ ସଭାପତି ନମିତା ଦଳବେହେରାଙ୍କ ସହ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରତିମା ମିଶ୍ର, ସୁଷମା ବେହେରା, ଦିଲେଶ୍ୱର ପ୍ରଧାନ, ଶ୍ୟାମସୁନ୍ଦର ପାଳଶର୍ମା, ଗଙ୍ଗାଧର ପଟ୍ଟନାୟକ, ଚିତ୍ତରଞ୍ଜନ ଦାସ, ମହମ୍ମଦ ସାବିର, ସରିତା ମିଶ୍ର, କାଳିଆ ବିଶ୍ୱାଳଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।