ଦୋକାନ୍‌ ସିଲ୍‌, ୧୭ଜଣ ଦେଲେ ଜରିମାନା

ଛତ୍ରପୁର,୪ା୬(ଡି.ଏନ୍‌.ଏ.)- ଛତ୍ରପୁର ଏନ୍‌ଏସି ପକ୍ଷରୁ ସହରରେ ଲକ୍‌ଡାଉନ୍‌ ନିୟମ ପାଳନ ହେଉଛି କି ନାହିଁ ଗୁରୁବାର କଡାକଡି ଯାଞ୍ଚ କରାଯାଇଥିଲା। ଛତ୍ରପୁର ଅପର ବସ୍‌ଷ୍ଟାଣ୍ଡରେ ଥିବା ଏକ ଲୁହା ଦୋକାନକୁ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ କରାଯିବା ସହ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଏକ ଦୋକାନୀ ବିନା ମାସ୍କରେ ଗ୍ରାହକଙ୍କୁ ସାମଗ୍ରୀ ଦେଉଥିବାରୁ ତାଙ୍କ ଠାରୁ ୫ଶହ ଟଙ୍କା ଏବଂ ବିନା ମାସ୍କରେ ବୁଲୁଥିବା ୧୭ଜଣଙ୍କ ଠାରୁ ୨ଶହ ଟଙ୍କା ଲେଖାଏ ମୋଟ ୩୪ଶହ ଟଙ୍କା ଆଦାୟ କରାଯାଇଛି। ଚଢାଉରେ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌. ଗଣେଶ ବାବୁ, ଅତିରିକ୍ତ ତହସିଲଦାର ଯସ୍ମିନ ପ୍ରଧାନ, ଗୌରହରି ପଣ୍ଡା, ଏସ୍‌. ଦାଲେୟାଙ୍କ ସମେତ ଏନ୍‌ଏସି କର୍ମଚାରୀ ଉପସ୍ଥିତ ଥିଲେ। ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।