Categories: ଗଞ୍ଜାମ

ଦୋକାନରେ ଚଢ଼ାଉ, ୨୭ କେଜି ପଲିଥିନ ଜବତ

ଭଞ୍ଜନଗର,୧୯।୬(ଡି.ଏନ.ଏ)-ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି। ତଥାପି ବେଧଡ଼କ ବହୁଳ ଭାବେ ଏହାର ବ୍ୟବହାର ଚାଲିଛି। ଭଞ୍ଜନଗର ସହରରେ ବହୁଳ ପଲିଥିନ ଓ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିବାରୁ ପରିମଳ ବିପର୍ଯ୍ୟସ୍ତ ହେଉଛି। ଦୌନନ୍ଦିନ ସହରର ରାସ୍ତାକଡ଼ରେ କୁଢ଼ କୁଢ଼ ଏପରି ଆବର୍ଜନା ଦେଖିବାକୁ ମିଳୁଛି। ଏ ସମ୍ପର୍କିତ ଏକ ଖବର ସୋମବାର ଧରିତ୍ରୀରେ ପ୍ରକାଶ ପାଇଥିଲା। ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା। ସୋମବାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ବେଆଇନ ପଲିଥିନ ବ୍ୟବହାର ରୋକିବା ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇ ପ୍ରାୟ ୨୭ କେଜି ପଲିଥିନ ଜବତ ହୋଇଛି। ଏଥିସହ ଦୋକାନୀଙ୍କ ଉପରେ ଜରିମାନା ପକାଯାଇଛି। ତେବେ ପ୍ରଶାସନ ପଲିଥିନ ପ୍ରସ୍ତୁତ କରୁଥିବା କମ୍ପାନୀକୁ ଛାଡି ଛୋଟ ବଡ଼ ଦୋକାନରେ ଚଢ଼ାଉ କରୁଛି। କମ୍ପାନୀରେ ଚଢ଼ାଉ କରି ପଲିଥିନ ପ୍ରସ୍ତୁତ ବନ୍ଦ କରାଗଲେ ସମସ୍ୟା ଦୂର ହୋଇପାରନ୍ତା ବୋଲି ମତପ୍ରକାଶ ପାଉଛି।
ସୂଚନାଯୋଗ୍ୟ, ୫୦ ମାଇକ୍ରନରୁ କମ୍‌ ପଲିଥିନ ବ୍ୟବହାର ଉପରେ ସୁପ୍ରିମକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି। ଏ ନେଇ ପଦକ୍ଷେପ ନେବାପାଇଁ ଗତବର୍ଷ ସୁପିମକୋର୍ଟଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଆସିଥିଲା। ଏହିକ୍ରମରେ ଗତବର୍ଷ ପଲିଥିନ ବ୍ୟବହାର ଉପରେ ଭଞ୍ଜନଗର ଏନଏସି ପକ୍ଷରୁ କଟକଣା ଜୋରଦାର କରାଯାଇଥିଲା। ତେଣୁ ପଲିଥିନ ଓ ପ୍ଲାଷ୍ଟିକ୍‌ ବ୍ୟବହାର ବହୁତ କମିଯାଇଥିଲା। ଲୋକେ କାଗଜ ଢ଼ୁଙ୍କା ବ୍ୟବହାର ଆରମ୍ଭ କରିଥିଲେ। କେତକ ସ୍ଥାନରେ କପଡ଼ା ବ୍ୟାଗ୍‌ ବ୍ୟବହାର ଆରମ୍ଭ ହୋଇଥିଲା। ପରେ ଏନଏସି ପ୍ରଶାସନ ପକ୍ଷରୁ ଚଢ଼ାଉ ଧିମା ହୋଇଯିବାରୁ ପୁଣି ବେନିୟମ ପଲିଥିନ ବ୍ୟବହାର ବଢ଼ିଯାଇଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପୁଣି ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳ, ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।